ଆଜି ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କୁଜଙ୍ଗ,୧୬।୨ (ମନୋଜ ପ୍ରଧାନ): ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତକୁ ଆସୁଛନ୍ତି। ଏଥିନିମନ୍ତେ ପ୍ରଶାସନ ଓ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଗୁରୁବାର ଏରସମା-ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବିଧାୟକ ଅରୁଣ ସାହୁ, ଦଳୀୟ ପର୍ଯ୍ୟବେକ୍ଷକ ଗିରୀଶ ଦାଶ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶାରଦା ଜେନା, ଇତିଶ୍ରୀ ଭୂୟାଁ, ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ପାରାଦୀପ ପୌରପାଳ ବସନ୍ତ କୁମାର ବିଶ୍ୱାଳ, ଏମ୍‌ପିଙ୍କ କୁଜଙ୍ଗ ବ୍ଲକ ପ୍ରତିନିଧି ତଥା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ସୁଢ଼ଳ ସ୍ବାଇଁ, ଗଡ଼କୁଜଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ବିଜେଡି ନେତା ରମାକାନ୍ତ ଭୋଇ ପ୍ରମୁଖ ଶିଳାନ୍ୟାସ ସ୍ଥଳରେ ପହଁଞ୍ଚତ୍ ସ୍ଥିତି ପରିଖିଛନ୍ତି। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପର ଓଡ଼ିଶା ମୁଖ୍ୟ ଅନିଲ ସିଂହ, ପାରାଦୀପର ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଢିଙ୍କିଆ ସରପଞ୍ଚ କିଶୋର କୁମାର ପରିଡା ଆଲୋଚନାକରି ଫେରିଛନ୍ତି। ସବୁଠାରୁ ବଡକଥା ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ଯେଉଁ ଗାଁରେ ସବୁ ମନୋମାଳିନ୍ୟ ଥିଲା ବୈଠକ ମାଧ୍ୟମରେ ନେତୃମଣ୍ଡଳୀମାନେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି କ୍ରମରେ ଅଞ୍ଚଳର ମୁରବିମାନେ ବୁଧବାର ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ସମାଧାନ ନିମନ୍ତେ ପ୍ରତିଶ୍ରୁତି ପାଇଛନ୍ତି। ସେହି ଅନୁସାରେ ଗୁରୁବାର ତ୍ରିଲୋଚନପୁରଠାରେ ମହିଳାମାନଙ୍କ ବୈଠକ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ପ୍ରତିଶ୍ରୁତି ସମ୍ପର୍କରେ ବିଜେଡି ଯୁବନେତା ତମିଲ ପ୍ରଧାନ ଓ ତନ୍ମୟ ସ୍ବାଇଁ ସେଠାରେ ପହଞ୍ଚତ୍ ଜଣାଇଛନ୍ତି। ମହିଳାମାନେ ଏହାକୁ ସ୍ବାଗତ କରିବାସହ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସଫଳ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ ଫୋର୍ସ, ୬୫୦ ଜଣ ଏପିଆର କନଷ୍ଟେବଳ ଓ ୧୦୦ଜଣ ସବ୍‌ଇନ୍ସପେକ୍ଟର ନିୟୋଜିତ ହୋଇଥିବା ଅଭୟଚାନ୍ଦପୁର ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି। ଘଟଣାସ୍ଥଳରେ ଜଗତ୍‌ସିଂହପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ପଣ୍ଡା, ତିର୍ତ୍ତୋଲ ଏସ୍‌ଡିପିଓ ଚିନ୍ମୟ କୁମାର ରାଉତ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି।

Share