ମାଡ଼ି ଆସୁଛି ବାତ୍ୟା: ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୦: ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ବଳ ଗୋଟାଉଛି। ଏକଜୁଟ୍‌ ହେଉଛି। ଯାହାକୁ ନେଇ ଏବେ ଏକପ୍ରକାର  ଆତଙ୍କିତ ହୋଇପଡ଼ଛନ୍ତି   ଓଡ଼ିଶାବାସୀ। ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛନ୍ତି ସରକାର । ତେବେ  ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାତ୍ୟା ସମୀକ୍ଷା କରିବେ । ଲୋକସେବା ଭବନରେ ବାତ୍ୟା ମୁକାବିଲା ପାଇଁ ଏହି ସମୀକ୍ଷା ବୈଠକ ହେବ । ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ, ଏସ୍‌ଆରସି ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲିି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିପାରେ । ସମ୍ଭାବ୍ୟ ବାତ୍ୟାକୁ ନେଇ  ସରକାର ସଜାଗ ଅଛନ୍ତି। ।
ଅନ୍ୟପକ୍ଷେ, ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ଅଛନ୍ତି । ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସେ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି ‘ମୁଖ୍ୟ ସଚିବ, ଏସଆରସି ସମୀକ୍ଷା କରିଛନ୍ତି। ମୁଁ ବି ସମୀକ୍ଷା କରିବି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲା ନୁହେଁ, ପୂରା ୩୦ ଜିଲାରେ ପ୍ରସ୍ତୁତି ଚାଲିଛି। ୩୦ ଜିଲାରେ ଓଡ୍ରାଫ ଟିମ୍‌ ମୁତୟନ ରହିବେ, ଆର୍‌ଏଫଙ୍କୁ ମଧ୍ୟ ଆଲର୍ଟ ରଖାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି। ଟ୍ରଲରମାଲିକ ଯଦି ଜୋର୍‌ କରି ପଠାନ୍ତି, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ’ ।
ସେହିପରି ଲୋକଙ୍କୁ ସ୍ଥାନାନ୍ତରକୁ ନେଇ କହିଛନ୍ତି ଯେ, ‘ସମୟ ଯେତେ ପାଖେଇ ଆସିବ, ଆମେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିବୁ। ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି’ ବୋଲି ମନ୍ତ୍ରୀ କହିଛନ୍ତି ।
Share