ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଉଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାରେ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ନିର୍ମାଣ ହେବ। ଜିଲାର ବିକାଶ ଲାଗି ସରକାର ପ୍ରାୟ ୪ ହଜାର ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଉରକେଲା ସହର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଉଠିଛି। ସବୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବ୍ୟାନରରେ ସାରା ସହରକୁ ଆଚ୍ଛାଦିତ କରାଯାଇସାରିଛି। ବିପିୟୁଟି ସଭାସ୍ଥଳ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହିତ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଲାଗି ୧୭ ମନ୍ତ୍ରୀ ଏବଂ ୭୦ ଜଣ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ୧୨ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ଏବଂ ୩୫୧ କୋଟି ଟଙ୍କା ଖର୍ଚ୍ଚରେ ୧୧ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହେବ। ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧୫୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ୧୦ଟି କସ୍ତୁରବା ଗାନ୍ଧୀ ଆବାସିକା ବାଳିକା ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୭ଟି ଛାତ୍ରାନିବାସ ଏବଂ ୧୬ଟି ଛାତ୍ରୀନିବାସ ଲାଗି ଶିଳାନ୍ୟାସ ହେବ। ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ୩୦ରେ ରାଉରକେଲା ବିପିୟୁଟି ପରିସରରେ ପହଞ୍ଚି ସବୁ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ଲୋକମାନେ ଏହାର ଲାଇଭ ଦେଖିବା ଲାଗି ୧୦୦ରୁ ଅଧିକ ସ୍ଥାନରେ ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପ୍ରଶାସନିକ ଅଧିକାରୀ, ଦଳୀୟ ନେତା, ପୋଲିସ ଏବଂ ମହାନଗର ନିଗମ ଅଧିକାରୀମାନେ ଲାଗି ପଡିଛନ୍ତି। ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି।

Share