ନୂଆଦିଲ୍ଲୀ,୨୭।୪(ପି.ଟି.): ରୁର୍କୀରେ ବୁଧବାର ହେବାକୁ ଥିବା ଧର୍ମ ସଂସଦରେ ପ୍ରତିକୂଳ ମନ୍ତବ୍ୟ ଦିଆଯିବ ନାହିଁ ବୋଲି ଲିଖିତ ଭାବେ ଜଣାଇବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧର୍ମ ସଂସଦରେ ଘୃଣିତ ମନ୍ତବ୍ୟ ଦିଆଗଲେ ଏଥିପାଇଁ ଶୀର୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟୀ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି।
ଆଗାମୀ ଧର୍ମ ସଂସଦରେ କୌଣସି ପ୍ରତିକୂଳ ମନ୍ତବ୍ୟ ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ ନିଶ୍ଚିତ ଥିବା ଉତ୍ତରାଖଣ୍ଡ ସରକାର ଜଷ୍ଟିସ ଏ.ଏମ୍. ଖାନଓ୍ବିଲ୍କରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ କହିଥିଲେ। କୋର୍ଟର ନିଷ୍ପତ୍ତି କ୍ରମେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଯଦି ପ୍ରତିକାରମୂଳକ ପଦକ୍ଷେପ ନେବାରେ ରାଜ୍ୟ ବିଫଳ ହୁଏ ତେବେ ମୁଖ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି କୁହାଯିବ ବୋଲି ଖଣ୍ଡପୀଠ ସରକାରଙ୍କୁ କହିଥିଲେ। ଯଦି ଧର୍ମ ସଂସଦରେ କୌଣସି ବକ୍ତା ଘୃଣିତ ମନ୍ତବ୍ୟ ଦିଅନ୍ତି, ସେଥିପାଇଁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ସମ୍ପୃକ୍ତ ଆଇଜିଙ୍କୁ ଦାୟୀ କରାଯିବ ବୋଲି ଖଣ୍ଡପୀଠ କହିଥିଲେ।