କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠା ଐତିହ୍ୟ ବାଇ-ଲ’କୁ ବିରୋଧ ଜାରି ରହିଛି। ଏହାକୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏମ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ। ସେବାୟତଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ବାଇ-ଲ’କୁ ବିରୋଧ କରି ଆସୁଛନ୍ତି। ଏହି ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସଂସ୍କୃତି ସଚିବ ରାଘଭେନ୍ଦ୍ର ସିଂଙ୍କୁଚିଠି ଲେଖିଛନ୍ତି। ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏନ୍‌ଏମ୍‌ଏ ଦ୍ୱାରା ଜାରି କରାଯାଇଥିବା ଶ୍ରୀମନ୍ଦିର ଚିଠା ବାଇ-ଲ’କୁ ନେଇ ସେବାୟତ, ଭକ୍ତ, ଜନସାଧାରଣ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ଏପରି କି ମନ୍ଦିର ସହ ଜଡିତ ସଂଗଠନ ସହିତ ଆଲୋଚନା ନ କରି ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏନ୍‌ଏମ୍‌ଏ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାରି କରିଥିବା ବାଇ-ଲ’କୁ ପ୍ରତ୍ୟାହାର କରିଥିଲେ। ସେହିପରି ଏକାମ୍ର କ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଦ୍ୱାରା ଜାରି କରାଯାଇଥିବା ବାଇ-ଲ’କୁ ନେଇ ସେବାୟତ ଗୋଷ୍ଠୀ, ଭକ୍ତ ଏବଂ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଦେବୋତ୍ତର କମିଶନର ଏହାକୁ ଉଚ୍ଛେଦ କରିବାକୁ ଏନ୍‌ଏମ୍‌ଏକୁ ଚିଠି ଲେଖି ଜଣାଇଛନ୍ତି। ଏହାକୁ ଉଚ୍ଛେଦ କରାଯାଉ ନ ଥିବାରୁ ଦିନକୁ ଦିନ ଅସନ୍ତୋଷ ବଢି ଚାଲିଛି। ଏହା ଧାର୍ମିକ ଭାବନା ସହ ଜଡିତ ଥିବାରୁ ଦିନକୁ ଦିନ ଜନ ଆକ୍ରୋଶ ଆହୁରି ଉଗ୍ର ଆକାର ଧାରଣ କରିବା ସମ୍ଭାବନା ରହିଛି। ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ଆସନ୍ତା ମାର୍ଚ୍ଚ ୧୧ ତାରିଖ ମହାଶିବରାତ୍ରିରେ ଏକାମ୍ରକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବ। ଏହା ଲୋକଙ୍କ ଧର୍ମୀୟ ଭାବନାକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏଭଳି ଐତିହ୍ୟ ବାଇ-ଲ’କୁ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ଦୃଢ ଦାବି କରିଛନ୍ତି। ଏନ୍‌ଏମ୍‌ଏ ଏ ସମ୍ପର୍କରେ ସେବାୟତ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ କରି ତୁରନ୍ତ ବାଇ-ଲ’କୁ ଉଚ୍ଛେଦ କରିବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସଂସ୍କୃତି ସଚିବ ସିଂକୁ ଅନୁରୋଧ କରିଛନ୍ତି।

Share