ଭାତହାଣ୍ଡି ଓଲଟି ଶିଶୁ ଗୁରୁତର

ଦିଗପହଣ୍ଡି,୨୩।୯(ସଞ୍ଜୀବ କୁମାର ପାତ୍ର) ଦିଗପହଣ୍ଡି ଥାନା ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଲ୍ଲୀ ଗ୍ରାମରେ ଜଣେ ଶିଶୁ ଉପରେ ଭାତ ହାଣ୍ଡିରୁ ପେଜ ପଡି ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଶିଶୁ ଜଣକ ହେଲେ ଉକ୍ତ ଗ୍ରାମର ଜି.ରବି ରେଡ୍ଡୀଙ୍କ ପୁଅ ଜି.ଅମିତ୍‌ ରେଡ୍ଡୀ (୪ବର୍ଷ) ।

ସୂଚନାଯୋଗ୍ୟ, ଶନିବାର ଅପରାହ୍ନଣ ୫ଘଣ୍ଟା ସମୟରେ ଅମିତ୍‌ଙ୍କ ମାଆ କାଠ ଚୁଲାରେ ଭାତ ରାନ୍ଧୁଥିବା ବେଳେ କୌଣସି କାରଣ ବଶତଃ ଅମିତ୍‌ ମାଆ ପାଖକୁ ଦୌଡିଆସି ରାନ୍ଧୁଥିବା ଭାତ ହାଣ୍ଡି ଉପରେ ପଡିଯାଇଥିଲେ। ଫଳରେ ଭାତହାଣ୍ଡି ଓଲଟି ପଡିବାରୁ ଅମିତ ଗୁରୁତର ଆହତ ହୋଇଥିଲେ। ଏସମ୍ପର୍କରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସହ ଯୋଗାଯୋଗ କରିବାରୁ ଶିଶୁର ଶରୀରର ୪୦ ପ୍ରତିଶତ ପୋଡିଯାଇଥିବା ସେ କହିଛନ୍ତି।

Share