ପିଲା ରହିବେ ଫିଟ୍‌

ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା ପତଳା ନ ହୋଇଯାଏ ସେଥିପ୍ରତି ଯତ୍ନଶୀଳ ମଧ୍ୟ ଥାଆନ୍ତି। ହେଲେ ଆପଣ ଜାଣନ୍ତି କି, ମୋଟା, ଗୁଲୁଗୁଲିଆ ପିଲାମାନେ ଦେଖିବାକୁ ତ ଭଲ ଲାଗନ୍ତି ହେଲେ ଏହି ମୋଟାପଣ ସେମାନଙ୍କଠାରେ ଅଳ୍ପ ବୟସରୁ ଡାଇବେଟିସ୍‌, ହୃଦ୍‌ରୋଗ, ରକ୍ତଚାପ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ପିଲାଙ୍କୁ ସ୍ଲିମ୍‌ ଏବଂ ଫିଟ୍‌ ରଖିବେ କିପରି ଜାଣି ରଖନ୍ତୁ ସେ ସମ୍ପର୍କରେ…
ସନ୍ତୁଳିତ ଖାଦ୍ୟାଭ୍ୟାସ: ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ବିଭିନ୍ନ ପ୍ରକାରର ପ୍ୟାକେଜ୍‌ଡ ବା ଫ୍ରୋଜନ୍‌ ଫୁଡ୍‌ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି, ଯାହା କି ସେମାନଙ୍କଠାରେ ମେଦ ବହୁଳତାର କାରଣ ସାଜୁଛି। ତେଣୁ ପିଲାର ଏସବୁ ଖାଦ୍ୟର ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ। ପିଲାଙ୍କୁ ଅଧିକ ପନିପରିବା ଯୁକ୍ତ ସନ୍ତୁଳିତ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ।
ଆକ୍ଟିଭ୍‌ ରଖନ୍ତୁ: ପିଲାମାନେ ଆଉଟ୍‌ଡୋର୍‌ ଗେମ୍‌ ଅପେକ୍ଷା ବର୍ତ୍ତମାନ ଇନ୍‌ଡୋର୍‌ ଗେମ୍‌ ଖେଳିବା ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି। ଅଧିକ ସମୟ ମୋବାଇଲ୍‌, କମ୍ପ୍ୟୁଟର, ଟିଭି ଆଦିରେ ସମୟ ବିତାଉଛନ୍ତି। ତା’ଛଡା ବର୍ତ୍ତମାନ କରୋନା ଯୋଗୁ ସ୍କୁଲ୍‌ ଯିବା କିମ୍ବା ବାହାରକୁ ଯିବା ବନ୍ଦ ଥିବାରୁ ସେମାନେ ଘରେ ରହି ରହି ମାନ୍ଦା ହୋଇଯାଉଛନ୍ତି। ଫଳରେ ସେମାନଙ୍କଠାରେ ମେଦବହୁଳତା ଦେଖିବାକୁ ମିଳୁଛି। ତେଣୁ ଏଥିରୁ ପିଲାଙ୍କୁ ଦୂରେଇ ରଖିବା ଲାଗି ପ୍ରତିଦିନ ଏକ୍ସରସାଇଜ୍‌, ଯୋଗ, ପ୍ରାଣାୟମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ। ଏକ ଆକ୍ଟିଭ୍‌ ଲାଇଫ୍‌ ଷ୍ଟାଇଲ୍‌ ପିଲାଙ୍କ ଫିଟନେସ୍‌ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ପର୍ଯ୍ୟାପ୍ତ ନିଦ୍ରା: ପିଲାଙ୍କ ଖାଦ୍ୟପେୟ ସହିତ ଆବଶ୍ୟକ ମାତ୍ରାରେ ନିଦ୍ରା ମଧ୍ୟ ସେମାନଙ୍କୁ ଫିଟ୍‌ ରହିବାରେ ସାହାଯ୍ୟ କରିଥାଏ। ତେଣୁ ପିଲା ଯେପରି ମୋବାଇଲ୍‌ ଦେଖିବା, ଭିଡିଓ ଗେମ୍‌ ଖେଳିବା ଆଦିରେ ଶୋଇବା ସମୟ ନଷ୍ଟ ନ କରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅତି କମ୍‌ରେ ୮-୧୦ ଘଣ୍ଟା ଶୋଇବା ଦ୍ୱାରା କ’ଣ ସବୁ ଉପକାରିତା ମିଳିବ ସେ ଦିଗରେ ସେମାନଙ୍କୁ ବୁଝାନ୍ତୁ।