ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଜବତ ହେଲା ଶିଶୁ ମୃତଦେହ

ଡୁଙ୍ଗୁରିପାଲି,୨୩।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ଓଭରଡୋଜ୍‌ ଭାକ୍ସିନ୍‌ ଦେବାରୁ ଏକ ଦୁଇମାସର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁପୁତ୍ରର ପିତା ଧାନବସା ଗ୍ରାମର ନରେନ୍ଦ୍ର ସାଣ୍ଢ ଗୁରୁବାର ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିବାର ଦିନକ ପରେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଶିଶୁପୁତ୍ରର ମୃତଦେହ ଜବତ କରିଛି ା
ପ୍ରକାଶ ଯେ,ରାମପୁର ଥାନା ମାୟାବର୍ହା ପଞ୍ଚାୟତ ଧାନବସା ଗ୍ରାମର ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀ ପ୍ରମୋଦିନୀ ଶିଶୁପୁତ୍ରକୁ ଭାକ୍ସିନ୍‌ ଦେବା ପାଇଁ ବୁଧବାର ସକାଳେ ମାୟାବର୍ହାସ୍ଥିତ ଜୀବନଦାଦର ଅଙ୍ଗନବାଡି କେନ୍ଦ୍ର (କ)କୁ ଯାଇଥିଲେ। ସେଠାରେ ମାୟାବର୍ହା ସାସ୍ଥ୍ୟକେନ୍ଦ୍ରର ଏଏନ୍‌ଏମ୍‌(ସ୍ବାସ୍ଥ୍ୟକର୍ମୀ)ଏକାସାଙ୍ଗରେ ଚାରୋଟି ଭାକ୍ସିନ୍‌ ଶିଶୁକୁ ଦେଇଥିଲେ। ପୁଅକୁ ଧରି ମା’ ବାପା ଘରକୁ ଚାଲି ଆସିଥିଲେ। କିନ୍ତୁ ଭାକ୍ସିନ୍‌ ନେଇଥିବା ଶିଶୁପୁତ୍ର ସେହିଦିନ ବିଳମ୍ବିତ ରାତିରେ ଅଚେତ ହୋଇ ପଡ଼ିଥିଲା। ଫଳରେ ଉଭୟ ମା’ବାପା ପୁଅକୁ ଧରି ବରପାଲି ମେଡିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ନେଉଥିବା ବେଳେ ବାଟରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଫଳରେ ଶିଶୁକୁ ଧରି ସେମାନେ ଘରକୁ ଫେରିବା ସହ ଗଁା ମଶାଣିରେ ମୃତଦେହ ପୋତି ଦେଇଥିଲେ। ଏନେଇ ଶିଶୁର ପିତା ସାଣ୍ଢ ଥାନାରେ ଅଭିଯୋଗ କରିବା ପରେ ରାମପୁର ଥାନା ଏସ୍‌ଆଇ ଅବିନାଶ ପଧାନ, ଏଏସଆଇ ଜେ.ଡି. ମୋହନ ପଧାନ ଶନିବାର ସକାଳେ ଧାନବସା ଗ୍ରାମକୁ ଯାଇଥିଲେ। ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଉପସ୍ଥିତିରେ ଗଁା ମଶାଣି ପଡିଆର ଯେଉଁସ୍ଥାନରେ ଶିଶୁକୁ ପୋତା ଯାଇଥିଲା, ସେଠାରେ ମାଟି ଖୋଳାଯାଇ ମୃତଦେହ ଜବତ କରାଯାଇଥିଲା। ମୃତଦେହ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ରାମପୁର ଥାନାରେ ଆଇପିସିର ଦଫା ୩୦୪(ଏ)ରେ ଏକ ମାମଲା ରୁଜୁ ହୋଇଛି। କେସ୍‌ ନମ୍ବର ୮୧/୨୩। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଆହୁରି ଅଧିକ ତଥ୍ୟ ଜଣାପଡିବ ବୋଲି ଏସ୍‌ଆଇ ପଧାନ ପ୍ରକାଶ କରିଛନ୍ତି। ତଦନ୍ତ ଜାରି ରହିଛି।