ଖାଲରେ ପଡ଼ି ଶିଶୁପୁତ୍ରର ଜୀବନ ଗଲା

ବଡ଼ବିଲ,୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦା ଅଞ୍ଚଳରେ ୩ ବର୍ଷର ଶିଶୁପୁତ୍ର  ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ  ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ, ନାଲଦାରେ ରାଜକୁମାର ରବାନି ନାମକ ପରିବାର ରୁହନ୍ତି। ରାଜକୁମାର ଘରେ ନ ଥିବାବେଳେ ତାଙ୍କ ସ୍ତ୍ରୀ ଚନ୍ଦା ଦେବୀ ୩ ବର୍ଷର ଶିଶୁପୁତ୍ରକୁ ଶନିବାର ବାଡ଼ିପଟ ଅଗଣା କଡ଼କୁ ଶୌଚ କରାଇବାକୁ ବସାଇ ଦେଇ ଘର ଭିତରକୁ ଯାଇଥିଲେ। ଶିଶୁପତ୍ର ଶୌଚ ହେବାକୁ ବସିଥିବା ସ୍ଥାନ ପଛପାଖରେ ଆବର୍ଜନା ପାଣିର ଖାଲ ରହିଥିଲା। କିଛି ସମୟ ପରେ ଚନ୍ଦାଦେବୀ ଶିଶୁପୁତ୍ରଟି ସେହି ସ୍ଥାନରେ ନ ଥିବା ଦେଖି ଖୋଜିବା ଆରମ୍ଭ କରିଥିଲେ ହେଁ କିଛି ଖୋଜ ଖବର ମିଳି ନ ଥିଲା। ଦୀର୍ଘ ଘଣ୍ଟା ପରେ ଶିଶୁଟି ପିନ୍ଧିଥିବା ଚପଲ ଉକ୍ତ ଖାଲରେ ଥିବା ଆବର୍ଜନା ପାଣିରେ ଭାସିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଖାଲ ଭିତରକୁ ପଶି ଖୋଜାଖୋଜି କରିବାରୁ ଶିଶୁଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏ ନେଇ ବଡ଼ବିଲ ଥାନାରେ ୨/୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ରାଜକୁମାରଙ୍କ କହିବା ଅନୁଯାୟୀ, ତାଙ୍କ ଘର ନିକଟରେ ରହୁଥିବା  ବ୍ୟକ୍ତି ସେହି ଖାଲ ଖୋଳି ଖୋଲା ରଖିବା ସହ ଘରର ଆବର୍ଜନା ପାଣି ଛାଡୁଛନ୍ତି। ଖାଲରେ ବହୁ ପରିମାଣର ପାଣି ଜମି ରହିଥିଲା। କୌଣସି କାରଣରୁ ଶିଶୁଟି ଖାଲ ଭିତରକୁ ପଡ଼ିଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରାଜକୁମାର କହିଛନ୍ତି।

Share