Categories: ଜାତୀୟ

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ପାଣ୍ଠି ଯୋଗାଉଛି ଚାଇନା ଦୂତାବାସ: ଭାଜପା

ନୂଆଦିଲ୍ଲୀ,୨୬ା୬:ରାଜୀବ ଗାନ୍ଧୀ ଫାଉଣ୍ଡେଶନ (ଆର୍‌ଜିଏଫ୍‌)କୁ ଚାଇନା ଦୂତାବାସ ପାଣ୍ଠି ଯୋଗାଉଛି ବୋଲି ଗୁରୁବାର ଭାଜପା ପକ୍ଷରୁ ଅଭିଯୋଗ ଅଣାଯାଇଛି। ଭାଜପାର ସୋସିଆଲ ମିଡିଆ ଟିମ୍‌ ଉକ୍ତ ଦାବି ସପକ୍ଷରେ ଦସ୍ତାବିଜ ମଧ୍ୟ ଦେଖାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆର୍‌ଜିଏଫ୍‌ ଚେୟାରପର୍ସନ ଥିବାବେଳେ ଏହାର ବୋର୍ଡରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ନେତାମାନେ ଅଛନ୍ତି। ଭାଜପା ସୋସିଆଲ ମିଡିଆ ମୁଖ୍ୟ ଅମିତ୍‌ ମାଲବ୍ୟ ଏନେଇ ଏକ ଦସ୍ତାବିଜ ଶେୟାର କରିଛନ୍ତି। ଆର୍‌ଜିଏଫ୍‌ର ବାର୍ଷିକ ରିପୋର୍ଟ ୨୦୦୫-୦୬ରେ ଦର୍ଶାଯାଇଛି ଯେ, ଉକ୍ତ ସଂସ୍ଥା ଚାଇନା ଏମ୍ବାସିଠାରୁ ଏକ ଦାନ ଗ୍ରହଣ କରିଥିଲା, ଯାହାକି ଆର୍‌ଜିଏଫ୍‌ର ସାଧାରଣ ଦାତାଙ୍କ ତାଲିକାରେ ଉଲ୍ଲେଖ କରାଯାଇଛି। ପାଣ୍ଠି ଗ୍ରହଣ କରିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଭାରତ-ଚାଇନା ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଆବଶ୍ୟକ ବୋଲି ଆର୍‌ଜିଏଫ୍‌ ପକ୍ଷରୁ କେତେକ ଅଧ୍ୟୟନ କରାଯାଇଥିଲା। ଉକ୍ତ ଅଧ୍ୟୟନଗୁଡ଼ିକର ପରିଣାମ ମଧ୍ୟ ଚକିତ କରିଦେବା ଭଳି। ସେମାନେ ପ୍ରତ୍ୟକ୍ଷ ଭାବେ ଚାଇନାକୁ ସମର୍ଥନ କରିଥିଲେ। ଚାଇନା ଅପେକ୍ଷା ଭାରତକୁ ଏଫ୍‌ଟିଏ ଅଧିକ ଆବଶ୍ୟକ ଥିବା ନେଇ ଯୁକ୍ତି ବାଢ଼ିଥିଲେ ବୋଲି ଭାଜପା ସମାଲୋଚନା କରିଛି।

Share