Categories: ଜାତୀୟ

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ଥିବା ଲାଲ୍‌ ରଙ୍ଗର ଲୋଗୋକୁ ବଦଳାଯାଇ ମଙ୍ଗଳବାର ଦୂରଦର୍ଶନ ଗୈରିକ ରଙ୍ଗର ନୂଆ ଲୋଗୋ ଲଞ୍ଚ୍‌ କରିଥିଲା। ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ର ଗୈରିକୀକରଣ ହୋଇଥିବା ନେଇ ବିରୋଧୀ ଦଳ ଏବଂ ମିଡିଆ ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି। ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି ଏହାର ପୂର୍ବତନ ସିଇଓ ଜଓ୍ବାହର ସିର୍‌କର ମନ୍ତବ୍ୟ ଦେଇଛନ୍ତି। ଗୈରିକ ରଙ୍ଗ ହିନ୍ଦୁତ୍ୱ ସହ ଜଡ଼ିତ ଏବଂ ଶାସକ ଭାଜପା ଏବଂ ଏହାର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ହିନ୍ଦୁତ୍ୱକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆ (ଇଂଲିଶ ନ୍ୟୁଜ୍‌ ଚ୍ୟାନେଲର ଲୋଗୋକୁ ବଦଳାଇଥିଲୁ ବୋଲି ଗୌରବ କହିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ଚ୍ୟାନେଲକୁ ଅଲଗା କରିବା ପାଇଁ ଦୃଶ୍ୟ ସୌନ୍ଦର୍ଯ୍ୟବାଦରେ ପରିବର୍ତ୍ତନ ଆବଶ୍ୟକ ବୋଲି ଗୌରବ କହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚୟନ କରିଥିବା ଦୂରଦର୍ଶନର ପ୍ରଥମ ଲୋଗୋ ୧୯୭୬ ଏପ୍ରିଲ ୧ରେ ପଣ୍ଡିତ ରବିଶଙ୍କର ଏବଂ ଉସ୍ତାଦ ଅଲି ଅହମଦ ହୁସେନ୍‌ ଖାନ୍‌ଙ୍କ ସଙ୍ଗୀତ ଥେମ୍‌ ସହ ପ୍ରକାଶ ପାଇଥିଲା, ଯେଉଁଥିରେ ଲୋଗୋ ସବୁଜ ବ୍ୟାକ୍‌ଗ୍ରାଉଣ୍ଡରେ କମଳାରଙ୍ଗର ଥିଲା ବୋଲି ପ୍ରସାର ଭାରତୀ ସିଇଓ କହିଛନ୍ତି। ଅଯୋଧ୍ୟାରେ ରାମ ଜନ୍ମ ହୋଇଥିବା ହିନ୍ଦୁମାନଙ୍କର ବିଶ୍ୱାସ ରହିଥିବାବେଳେ ସେଠାରେ ଥିବା ବାବ୍ରୀ ମସ୍‌ଜିଦ୍‌କୁ ୧୯୯୨ ଡିସେମ୍ବର ୩ରେ ହିନ୍ଦୁତ୍ୱବାଦୀ ଉଗ୍ରପନ୍ଥୀମାନେ ଭାଙ୍ଗିଦେଇଥିଲେ। ଉକ୍ତ ସ୍ଥଳୀରେ ରାମମନ୍ଦିର ନିର୍ମାଣାଧୀନ ଥିବାବେଳେ ଗତ ଜାନୁଆରୀ ୨୨ରେ ସେଠାରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା କରାଯାଇଥିଲା। ରାମନବମୀ ପୂର୍ବରୁ ଡିଡି ନ୍ୟୁଜ୍‌ ଚ୍ୟାନେଲ ଲୋଗୋ ବଦଳାଯିବାକୁ ନେଇ ସମାଲୋଚନା ପ୍ରକାଶ ପାଇଛି।

Share