ଦେଖିବାକୁ ମିଳୁଛି କ୍ରୀଡ଼ା ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳ ପରି ଲଢ଼େଇ ଚାଲିଛି। ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳର ନେତାମାନେ ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଲୋଧା କମିଶନ କିଛି ନିୟମାବଳୀ କରିବାରୁ ବର୍ତ୍ତମାନ କେତେକ ଆସୋସିଏଶନରେ ପୁରାତନ ଖେଳାଳି ପଦାଧିକାରୀ ହେଲେଣି ା ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର ବିନ୍ନି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହୋଇଛନ୍ତି। ଭାରତର ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ମଣ୍ଡନ କରିଛନ୍ତି। ଫୁଟବଲ ଖେଳର ଅନ୍ତର୍ଜାତୀୟ ଗୋଲ ରକ୍ଷକ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ସଭାପତି ମନୋନୀତ ହୋଇଛନ୍ତି। ଏହିପରି ଅନ୍ୟ କ୍ରୀଡ଼ା ଅନୁଷ୍ଠାନ ଲୋଧା କମିଶନର ନିୟାମବଳୀ ଅନୁସାରେ କାର୍ଯ୍ୟ କରିବା ଉଚିତ। ପୁରାତନ ଖେଳାଳିମାନେ ଅଗ୍ରାଧିକାର ପାଇଲେ ତାଙ୍କ ଖେଳ ଜୀବନର ଅଭିଜ୍ଞତା ଅନୁସାରେ ଖେଳର ପ୍ରସାର ପାଇଁ ଯୋଜନା କରିପାରିବେ। ଭାରତରେ ବର୍ତ୍ତମାନ ଅଧିକ ଲୋକ କ୍ରିକେଟ ଖେଳକୁ ପସନ୍ଦ କରୁଛନ୍ତି। ମାତ୍ର ଏହି ଖେଳ ପୃଥିବୀର ଅଳ୍ପ କେତେକ ଦେଶରେ ଲୋକପ୍ରିୟତା ପାଇଛି। କିନ୍ତୁ ଫୁଟବଲ ଖେଳ ପୃଥିବୀର ଅଧିକାଂଶ ଦେଶ ଖେଳିବା ପାଇଁ ଏବଂ ଏହାକୁ ଦର୍ଶକମାନେ ଦେଖିବା ପାଇଁ ଭଲ ପାଆନ୍ତି। ଭାରତରେ ଫୁଟବଲ୍ର ଚାହିଦା ଅତୀତରେ ଖୁବ୍ ଭଲ ଥିଲା। ୧୯୬୧ରୁ ୧୯୭୦ ପର୍ଯ୍ୟନ୍ତ ଏସିଆଡ୍ରେ ଭାରତ ୧ରୁ ୩ ମଧ୍ୟରେ ରହୁଥିଲା। ୧୯୬୧ରେ ଚୁନ୍ନି ଗୋସ୍ବାମୀ, ବଲରାମ ପ୍ରମୁଖ ଖେଳାଳି ଫୁଟବଲରେ ଲୋକପ୍ରିୟ ଥିଲେ। ଏସିଆଡ୍ରେ ଭାରତ ୧୯୬୧ରେ ସ୍ବର୍ଣ୍ଣ, ୧୯୭୦ରେ ବ୍ରୋଞ୍ଜ ପଦକ ପାଇଥିଲା। ପ୍ରକାଶଯୋଗ୍ୟ ଯେ, ସେତେବେଳେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ପ୍ରତିପକ୍ଷ ଚାଇନାକୁ ହରାଇ ଦେଇଥିଲା। ମାତ୍ର ଏବେ ଚାଇନା ଫୁଟବଲରେ ଭାରତଠୁ ଭଲ ପ୍ରଦର୍ଶନ କରୁଛି। ଭାରତ ଏସିଆଡ୍ରେ ୨୪ତମ ସ୍ଥାନରେ ପହଞ୍ଚତ୍ଲାଣି।
ଅନ୍ୟ ଦେଶଗୁଡିକରେ ନୂତନ ବିଚାର ସହିତ ଆଧୁନିକ ପଦ୍ଧତିରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିମାନେ ଅନୁଷ୍ଠାନଗୁଡ଼ିକ ସହିତ ଯୋଡ଼ିହେଲେ ଖେଳର ମାନରେ ନିଶ୍ଚିତ ଉନ୍ନତି ଘଟିବ। ସେମାନେ ଯେହେତୁ ବିଭିନ୍ନ ଦେଶରେ ଖେଳିଥା’ନ୍ତି, ନିଜ ଅଭିଜ୍ଞତାରୁ ଯୁବ ଖେଳାଳିମାନଙ୍କୁ ଉପାଦେୟ ପରାମର୍ଶ ଦେଇପାରିବେ। କ୍ରୀଡ଼ାର ଉନ୍ନତି ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇପାରିବ। କିଛିଦିନ ତଳେ କଲ୍ୟାଣ ଚୌବେ ଏଆଇଏଫ୍ଏଫ୍ ସଭାପତି ହେଲା ପରେ ଭାରତରେ ହେଉଥିବା ସନ୍ତୋଷ ଟ୍ରଫି ଫୁଟବଲ ମ୍ୟାଚ୍ଗୁଡିକ ବିଦେଶରେ ସୌଦି ଆରବରେ କରିବା ପାଇଁ ଯୋଜନା କଲେଣି। ଏହାଦ୍ୱାରା ଖେଳାଳିମାନଙ୍କର ଫୁଟବଲ ଖେଳ ପ୍ରତି ଉତ୍ସାହ ବଢ଼ିବ। ଆଗରୁ ଏଆଇଏଫ୍ଏଫ୍ ସଭାପତି ଥିବା ପ୍ରିୟରଞ୍ଜନ ଦାସମୁନ୍ସୀ ଓ ପ୍ରଫୁଲ୍ଲ ପଟେଲ ରାଜନୈତିକ ବ୍ୟସ୍ତତା କାରଣରୁ ବିଦେଶ ସମକକ୍ଷ ଆମ ଦେଶର ଫୁଟବଲକୁ କରିବା ପାଇଁ ସମୟ ପାଇ ନ ଥିଲେ। ଖେଳରେ ତାଙ୍କର ଅଭିଜ୍ଞତାର ଅଭାବ ରହୁଥିଲା। ଅଧିକାଂଶ ଆସୋସିଏଶନରେ ଏହା ଦେଖିବାକୁ ମିଳୁଛି। ଖେଳାଳିମାନଙ୍କ ବିକାଶ ଚିନ୍ତା ବିଶେଷ ହେଉନାହିଁ। ପୁରାତନ ବିଚାରାଧାରା ସଙ୍ଗଠକ ଓ କ୍ରୀଡ଼ାବିତ୍ ନୂତନ ବିଚାରଧାରା ସହିତ ଜଡିତ ନ ହେଲେ କ୍ରୀଡ଼ାର ମାନରେ ଉନ୍ନତି ହୋଇପାରିବନି।
ପ୍ରଫୁଲ୍ଲ କୁମାର ମିଶ୍ର