ଭୁବନେଶ୍ୱର, ୨୧।୯(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ଯୁକ୍ତ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ ଆରମ୍ଭ ହେବ। ପ୍ରଥମ ତିନିଦିନ ଅର୍ଥାତ୍ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଇଣ୍ଡକ୍ସନ କ୍ଲାସ୍ ହେବ। ଏ ନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଆଦି ବିଭାଗ ଅନୁଯାୟୀ ଅଲଗା ଅଲଗା ଇଣ୍ଡକ୍ସନ କ୍ଲାସ୍ କରିବାକୁ କୁହାଯାଇଛି। ନୂଆ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଧ୍ୟକ୍ଷ ବା ସିନିୟର ଫାକଲ୍ଟି ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ନିଜ ଶିକ୍ଷାନୁଷ୍ଠାନ ବିଷୟରେ ସୂଚନା ଦେବେ। ପ୍ରତ୍ୟେକ ବିଷୟର ଶିକ୍ଷକମାନେ ନିଜ ପରିଚୟ ଦେବେ। ପାଠ୍ୟକ୍ରମ, ପରୀକ୍ଷା, ପ୍ରଶ୍ନ ନମୁନା ଓ ସମୟସୂଚୀ ସମ୍ପର୍କରେ ପିଲାଙ୍କୁ ସୂଚନା ଦିଆଯିବ। ଏଥିସହିତ ର଼୍ୟାଗିଂ କ’ଣ ବିପଦ ଆଣିପାରେ ଓ ଶିକ୍ଷାନୁଷ୍ଠାନର କ’ଣ ନିୟମ ରହିଛି ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯିବ।