ମାଲକାନଗିରି,୧୫।୩:(ଡି.ଏନ.ଏ.): ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ଆଜି ଶାନ୍ତିପୂର୍ଣ୍ଣ ଧର୍ମଘଟ ସହ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ସକାଳୁ ମାଲକାନଗିରି ବସଷ୍ଟାଣ୍ଡ ପ୍ରବେଶ ପଥରେ ଡ୍ରାଇଭରମାନେ ଏକଜୁଟ ହୋଇ ଧର୍ମଘଟ ଏବଂ ଷ୍ଟିୟରିଂ ଛାଡ ପାଳନ କରୁଥିବା ଦେଖିବାକୁ ମିଳିଛି। ସେହିପରି ମାଥିଲି, କାଲିମେଳା, ବାଲିମେଳା ଭଳି ପ୍ରମୁଖ ସ୍ଥାନରେ ଡ୍ରାଇଭର ମହାସଂଘର ବନ୍ଦ ପାଳନ ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଯେଉଁ ଡ୍ରାଇଭର ଭାଇମାନେ ଧର୍ମଘଟକୁ ନ ମାନି ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ଅଟକାଇ ଫୁଲମାଳ ଦେଇ ସ୍ବାଗତ କରିବା ସହ ଧର୍ମଘଟରେ ସାମିଲ କରୁଥିବା ଦେଖିବାକୁ ମିଳିଛି। ସରକାରୀ ଯାତ୍ରୀବାହୀ ଗାଡ଼ି ସହ ଜରୁରିକାଳୀନ ସେବାରେ ନିୟୋଜିତ ଗାଡିକୁ ଛାଡି ବାକି ଅନ୍ୟ ଗାଡିକୁ ଅଟକାଇ ଡ୍ରାଇଭରମାନେ ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଷ୍ଟିୟରିଂ ଛାଡ ଏବଂ ଧର୍ମଘଟ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।