ଯାଜପୁର ଅଫିସ/ ଯାଜପୁର ଟାଉନ,୧୯।୧(ଡି.ଏନ.ଏ.): ଯାଜପୁର ଜିଲା ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ଏମ୍ସିଏମ୍(ମାଷ୍ଟର ଅଫ୍ କ୍ରାଫ୍ଟମ୍ୟାନ୍) ଲକ୍ଷ୍ମୀପ୍ରିୟା ମହାରଣା ଯାଜପୁର ରୋଡ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ହାତରେ ଧରାପଡିଛନ୍ତି। ଏନେଇ କଟକ ଭିଜିଲାନ୍ସ ବିଭାଗ ଏକ ମାମଲା(ନଂ. ୨/୧୭ା୧ା୨୦୨୨)ରୁଜୁ କରି ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।
ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସହ ନିର୍ଦ୍ଦେଶକ ମିଶ୍ର ବକେୟା ପାଉଣା ୭୬,୫୦୦ ଟଙ୍କାର ବିଲ୍ କରିଦେବା ପ୍ରତିଶ୍ରୁତି ଦେଇ ପାଇକରାପୁର ଗ୍ରାମର ହସ୍ତଶିଳ୍ପ ତାଲିମଦାତା ଖଗେଶ୍ୱର ମଲ୍ଲିକଙ୍କଠାରୁ ୨୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ତାଲିମଦାତା ମଲ୍ଲିକ ସୋମବାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ପୂର୍ବ ଯୋଜନା ମୁତାବକ ଯାଜପୁର ରୋଡ ହସ୍ତଶିଳ୍ପ କାର୍ଯ୍ୟାଳୟରେ ମିଶ୍ରଙ୍କୁ ଦାବି ଅନୁଯାୟୀ ଟଙ୍କା ଦେବାକୁ ତାଲିମଦାତା ମଲ୍ଲିକ ଯାଇଥିଲେ। ହେଲେ ଏମ୍ସିଏମ୍ ମହାରଣା ଉକ୍ତ ଟଙ୍କାକୁ ଗ୍ରହଣ କରି ସହ ନିର୍ଦ୍ଦେଶକ ମିଶ୍ରଙ୍କୁ ଦେଇଥିଲେ। ଏହି ସମୟରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ସହ ନିର୍ଦ୍ଦେଶକ ମିଶ୍ରଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲେ। ଏହାପରେ ସହନିର୍ଦ୍ଦେଶକ ମିଶ୍ରଙ୍କ ଭୁବନେଶ୍ୱର ପଟିଆସ୍ଥିତ ଡୁଏଲ ହାଇଟ୍ ଆପାର୍ଟମେଣ୍ଟର ୨୦୯ ନମ୍ବର ଘର, କଟକ ବାଦାମବାଡ଼ିରେ ଥିବା ଭଡ଼ାଘର ଏବଂ ସୁନ୍ଦରଗଡ଼ର ସ୍ଥାୟୀ ଘର ସମେତ ଏମ୍ସିଏମ୍ ମହାରଣାଙ୍କ ଯାଜପୁର ଟାଉନ ଥାନ ଅଧୀନ ଗଣପତିପୁର ଘରେ ଚଢ଼ାଉ ଜାରି ରହିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ୍ ଦ୍ୱାରା ୭ ଲକ୍ଷ ୮୮ ହଜାର ୬୨୦ଟଙ୍କା ମିଶ୍ରଙ୍କ ଘରୁ ଜବତ ହୋଇଥିବା ସୂଚନା ମିଳିଛି।