ଆଖି ବୁଜି ଦେଇଛି ପ୍ରଶାସନ: ଭଡା ଘରେ ଚାଲିଛି କୋଚିଂ ସେଣ୍ଟର

ମାଲକାନଗିରି,୫ା୭(ଡି.ଏନ୍‌.ଏ.)-କରୋନା ମହାମାରୀ ରୋଗ ଯେପରି ନ ବ୍ୟାପିବ, ଛାତ୍ରୀଛାତ୍ରମାନେ ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚରୁ ବାର୍ଷିକ ପରୀକ୍ଷା ନ କରି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରି ଛାତ୍ରାବାସଗୁଡିକ ଖାଲି କରାଇ ପିଲାଙ୍କୁ ନିଜ ଘରକୁ ପଠାଇ ଦେଇଥିଲେ। କୋଚିଂ ସେଣ୍ଟର ନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍‌ଲାଇନରେ ଶିକ୍ଷାଦାନ ବ୍ୟବସ୍ଥା ଏବେ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ମାତ୍ର ମାଲକାନଗିରି ଜିଲାରେ କେତେକ ଶିକ୍ଷକ ଘରଭଡା ନେଇ ଛାତ୍ରୀଛାତ୍ରଙ୍କୁ ସକାଳେ ଏବଂ ସନ୍ଧ୍ୟାରେ କୋଚିଂ ସେଣ୍ଟର ଖୋଲି ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଖଇରପୁଟ, ମାଥିଲି, ଗୋବିନ୍ଦପାଲି, ମାଲକାନଗିରି ଜିଲା ସଦର ମହକୁମାର କେତେକ ସ୍ଥାନରେ କୋଚିଂ ସେଣ୍ଟର ଖୋଲାଯାଇଛି। ଏଠାରେ କୋଭିିଡ୍‌-୧୯ ନିୟମକୁ ମଧ୍ୟ ଊଲ୍ଲଂଘନ କରାଯାଉଛି। ଛାତ୍ରୀଛାତ୍ରମାନେ ସମଦୂରତା ରକ୍ଷା କରୁ ନ ଥିବା ବେଳେ ମାସ୍କ ମଧ୍ୟ ବ୍ୟବହାର କରୁ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ସମ୍ଭବ ହୋଇ ନ ଥିଲା। ଏ ନେଇ କୋଭିଡ୍‌-୧୯ର ମାଲକାନଗିରି ବ୍ଲକ ଦାୟିତ୍ୱରେ ଥିବା ନୋଡାଲ ଅଫିସର ତହସିଲଦାର ଡ. ଗୁଣନିଧି ନାୟକ କହିଛନ୍ତି, ଯଦି କୌଣସି ଶିକ୍ଷକ କୋଚିଂ ସେଣ୍ଟର କରି ଛାତ୍ରୀଛାତ୍ରଙ୍କୁ ପଢାଉଥାନ୍ତି ଏ ଦିଗରେ ଆଜିଠାରୁ ହିଁ ତଦାରଖ ହେବ। ସତ୍ୟତା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share