ଭୁବନେଶ୍ୱର,୧୭।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। କୋରାପୁଟରେ ୭୬ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜି.ଉଦୟଗିରିରେ ୬୫.୪ ମିମି ଏବଂ ଫୁଲବାଣୀରେ ୪୦ ମିମି ରୁ ଅଧିକ ବର୍ଷା ହୋଇଛି। ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସେହିପରି ଉପକୂଳରେ ମୌସୁମୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। କେତେକ ସ୍ଥାନରେ ମଧ୍ୟ ବର୍ଷା ଆରମ୍ଭ ହୋଇଗଲାଣି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଆହୁରି ଅଗ୍ରସର ହେବ। ୨୦ ତାରିଖ ପରେ ସାରା ରାଜ୍ୟକୁ ମୌସୁମୀ ପ୍ରବେଶ କରିବା ନେଇ ଆକଳନ କରାଯାଉଛି।