ବ୍ୟାଙ୍କ ବ୍ୟବସ୍ଥାର ଅଧୋଗତି

ସମରେନ୍ଦ୍ର ବଳିଆରସିଂହ

 

କହିଲେ ଦେଖି, ଆପଣ ଖବରକାଗଜ ଭିତର ପୃଷ୍ଠାରେ ଛୋଟ ଛୋଟ ଅକ୍ଷରରେ ବାହାରୁଥିବା ବିଭିନ୍ନ ବ୍ୟାଙ୍କର ବିଜ୍ଞାପନ ପଢ଼ନ୍ତି? ସେହି ବିଜ୍ଞାପନରେ ଲେଖାଥାଏ, ଦଖଲ ନୋଟିସ/ଡିମାଣ୍ଡ ନୋଟିସ କିମ୍ବା ଇ-ନିଲାମ/ମେଗା ଇ-ନିଲାମ କିମ୍ବା ସ୍ଥାବର ସମ୍ପତ୍ତି ବିକ୍ରି ପାଇଁ ବିକ୍ରୟ ବିଜ୍ଞପ୍ତି। ବ୍ୟାଙ୍କର ଚାପଗ୍ରସ୍ତ ସମ୍ପତ୍ତି ଆଦାୟ ଶାଖା ପକ୍ଷରୁ ସିକ୍ୟୁରିଟାଇଜେଶନ ଆଣ୍ଡ୍‌ ରିକନ୍‌ଷ୍ଟ୍ରକ୍‌ଶନ ଅଫ୍‌ ଫାଇନାନ୍‌ସିଆଲ ଆସେଟ୍ସ ଆଣ୍ଡ୍‌ ଏନ୍‌ଫୋର୍ସମେଣ୍ଟ ଅଫ୍‌ ସିକ୍ୟୁରିଟି ଇଣ୍ଟରେଷ୍ଟ (ସରଫେସି) ଆକ୍ଟ ୨୦୦୨ ଧାରା ୧୩(୨) ଅନୁଯାୟୀ ଡିମାଣ୍ଡ ନୋଟିସ ମଧ୍ୟ ପ୍ରକାଶ ପାଇଥାଏ। ସେଥିରେ ବିଜ୍ଞପ୍ତି ପ୍ରକାଶ ପାଇଥାଏ ଯେ, ‘ଏତଦ୍ଦ୍ବାରା ନିମ୍ନଲିଖିତ ଋଣଗ୍ରହୀତାମାନଙ୍କୁ ଏହି ନୋଟିସ ମାଧ୍ୟମରେ ଜଣାଇ ଦିଆଯାଉଛି କି, ବ୍ୟାଙ୍କରୁ ନେଇଥିବା ଋଣ ବକେୟା ମୂଳ ଏବଂ ସୁଧ ପରିଶୋଧ କରିବାରେ ବିଫଳ ହୋଇଥିବାରୁ ସେମାନଙ୍କର ଋଣକୁ ଅଣକାର୍ଯ୍ୟକାରୀ ସମ୍ପତ୍ତି (ନନ୍‌ ପରଫର୍ମିଙ୍ଗ୍‌ ଆସେଟ୍ସ ବା ଏନ୍‌ପିଏ) ଶ୍ରେଣୀଭୁକ୍ତ କରାଯାଇଛି।’ ସେହିପରି ସରଫେସି ଆକ୍ଟର ୨୦୦୨ର ରୁଲ୍‌ ୬(୨) ଓ ୮(୬) ଅନୁଯାୟୀ ସ୍ଥାବର ସମ୍ପତ୍ତିର ଇ-ନିଲାମ ବିଜ୍ଞପ୍ତିରେ ଲେଖାଯାଇଥାଏ, ‘ଏତଦ୍ଦ୍ବାରା ସର୍ବସାଧାରଣ, ଋଣଗ୍ରହୀତା, ବନ୍ଧକଦାତା ଏବଂ ଗ୍ୟାରେଣ୍ଟିଦାତାମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଅମୁକ ବ୍ୟାଙ୍କର କ୍ଷମତାପ୍ରାପ୍ତ ଅଧିକାରୀ (ସୁରକ୍ଷିତ ଋଣଦାତା)ଙ୍କ ଦ୍ୱାରା ବ୍ୟାଙ୍କର ବକେୟା ଦେୟ ବାବଦକୁ ନିମ୍ନରେ ପ୍ରଦତ୍ତ ସ୍ଥାବର ସମ୍ପତ୍ତିଗୁଡ଼ିକୁ ଦଖଲରେ ନେଇଛନ୍ତି ଏବଂ ନିମ୍ନ ସ୍ବାକ୍ଷରକାରୀ ବ୍ୟାଙ୍କ ଦେୟ ଆଦାୟକରଣ ନିମନ୍ତେ ନିମ୍ନଦର୍ଶିତ ବନ୍ଧକ ସମ୍ପତ୍ତିଗୁଡ଼ିକୁ ‘ଯେଉଁଠାରେ ଯେପରି ଅଛି’, ‘ଯାହା ଯେପରି ଅଛି’, ‘ସେଠାରେ ଯାହା ଅଛି’ ଭିତ୍ତିରେ ଇ-ନିଲାମ ମାଧ୍ୟମରେ ବିକ୍ରୟ କରିବା ପାଇଁ ସ୍ଥିର କରିଛନ୍ତି। ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ଋଣ ଶୁଝି ନ ପାରିଲେ କିମ୍ବା ଆଉ କାହା ପାଇଁ ସେମାନଙ୍କ ଜମି ବନ୍ଧକ ପଡ଼ିଥିଲେ ଏଭଳି ବିଜ୍ଞାପନ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଥାଏ। ଅନେକ ସମୟରେ ବ୍ୟାଙ୍କ ତରଫରୁ ସେହି ଋଣ ଖିଲାପୀମାନଙ୍କ ବିରୋଧରେ ଋଣ ଅସୁଲ ପ୍ରାଧିକରଣ (ଡେବ୍‌ଟ ରିକଭରି ଟ୍ରିବ୍ୟୁନାଲ)ରେ ଅଭିଯୋଗ ବା କେସ୍‌ କରାଯିବା ପରେ ଋଣ ଅସୁଲ ଅଧିକାରୀଙ୍କ ପକ୍ଷରୁ ସମ୍ପୃକ୍ତ ପକ୍ଷଙ୍କ ବିରୋଧରେ ବନ୍ଧକ ସମ୍ପତ୍ତି ନିଲାମ କିମ୍ବା ବିକ୍ରି ପାଇଁ ମଧ୍ୟ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଥାଏ।
ପାଠକବନ୍ଧୁ, ଏସବୁ ବିଜ୍ଞାପନ ଅଧିକାଂଶ ପଢ଼ନ୍ତି ନାହିଁ। ଅନେକେ ଏସବୁକୁ ନଜରଅନ୍ଦାଜ କରିଥା’ନ୍ତି, କାରଣ ଯେଉଁମାନେ ବ୍ୟାଙ୍କରୁ କୌଣସି ଋଣ ନେଇନାହାନ୍ତି, ଋଣ ପାଇଁ ନିଜ ଜମି ବନ୍ଧକ ପକାଇ ନାହାନ୍ତି କିମ୍ବା ଆଉ କାହା ପାଇଁ ନିଜ ଜମି ବନ୍ଧକ ପକାଇନାହାନ୍ତି, ସେମାନେ ଏଭଳି ବିଜ୍ଞାପନ କାହିଁକି ପଢ଼ିବାକୁ ଚାହିଁବେ! ନାଇଁ ଆଜ୍ଞା, ଏସବୁ ବିଜ୍ଞାପନ ଭଲକରି ପଢ଼ନ୍ତୁ। କାରଣ ନିଜ ଜୀବନକାଳରେ କୌଣସି ବ୍ୟାଙ୍କରୁ ଋଣ ନ ନେଇଥିଲେ ମଧ୍ୟ ଆପଣଙ୍କ ନାଁରେ ଆଉ କେହି ବ୍ୟାଙ୍କରୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଋଣ କରିଦେଇଥିବ, ଅଥଚ ଆପଣ ଜାଣି ନ ଥିବେ। ଆପଣଙ୍କ ଜମିର ଦଲିଲ ଓ ପଟ୍ଟାକୁ ଜାଲ କରି, ଆପଣଙ୍କ ପରିଚୟପତ୍ର (ଆଧାର, ପାନ୍‌ କାର୍ଡ)ର ନକଲ ପ୍ରସ୍ତୁତ କରି କେହି ଠକ ବ୍ୟକ୍ତି ବା ସଂସ୍ଥା ଆପଣଙ୍କୁ ଠକିଥିବ। ବର୍ଷ ବର୍ଷ ଧରି ଆପଣଙ୍କ ନାଁରେ ଋଣ ଗଡ଼ୁଥିବ, କିନ୍ତୁ ଆପଣ ଜାଣି ନ ଥିବେ। ଠକ, ଦଲାଲ ଆପଣଙ୍କ ନାଁରେ ଋଣ କରିଥିବ କିମ୍ବା ଆପଣଙ୍କୁ ଗ୍ୟାରେଣ୍ଟର ରଖିଥିବ। ଆପଣଙ୍କ ଠିକଣା ବି ବ୍ୟାଙ୍କ ରେକର୍ଡରେ ଏଭଳି ଦରଜ ହେଇଥିବ ଯେ, ଆପଣଙ୍କ ପାଖକୁ ଋଣ ଶୁଝିବାକୁ ନୋଟିସ୍‌ ମଧ୍ୟ ଆସୁନଥିବ। ଏହାପରେ ଡେବ୍‌ଟ ରିକଭରି ଟ୍ରିବ୍ୟୁନାଲରେ ଆପଣଙ୍କ ବିରୋଧରେ ବ୍ୟାଙ୍କ କେସ୍‌ କରିବ, ଖବରକାଗଜରେ ଆପଣଙ୍କ ନାଁରେ ବିଜ୍ଞପ୍ତି ବାହାରିବ। ଯଦି ଆପଣ ଜାଣି ନ ପାରିଲେ, ତା’ ହେଲେ ଆପଣଙ୍କ ଜମି ନିଲାମ କିମ୍ବା ବିକ୍ରି ହେଇଯାଇଥିବ।
ଏଭଳି ଠକେଇରେ ଆମ ରାଜ୍ୟ ପରା (କୁ)ଖ୍ୟାତି ଅର୍ଜନ କଲାଣି। ଠକଙ୍କ ଅମରାବତୀ ପାଲଟି ଗଲାଣି ଓଡ଼ିଶା। ଠକ ତ ଠକିବେ, ହେଲେ ବ୍ୟାଙ୍କ ଭଳି ବିଶ୍ୱସନୀୟ ସଂସ୍ଥା କେମିତି ଠକଙ୍କୁ ଚିହ୍ନି ପାରୁନାହାନ୍ତି, ଧରି ପାରୁନାହାନ୍ତି, ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ! ଆଧାର, ପାନ୍‌ କାର୍ଡ, ଫିଲ୍ଡ ଭେରିଫିକେସନ୍‌, ଜମିର ଇସି ବା ଏନ୍‌କୁମ୍ବରାନ୍ସ ସାର୍ଟିଫିକେଟ୍‌… ଏମିତି କେତେ କଥା ଅଛି। ସାଧାରଣ ଋଣଟେ ନବାକୁ ମଣିଷ କେତେ ଦହଗଞ୍ଜ ହେଉଛି, ହେଲେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଠକ ଚଳୁ କରିନଉଛନ୍ତି! ଏସବୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ବ୍ୟାଙ୍କ ଆଉ ପୂର୍ବଭଳି ନାହିଁ। ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ିଲାଣି। ବ୍ୟାଙ୍କର ଅଧିକାଂଶ କର୍ମଚାରୀ ଏବେ ଟଙ୍କା ଚଳୁ କରିବା ପାଇଁ ନିଆଁ ଗିଳିଦେବେ। ବ୍ୟାଙ୍କକୁ ଆପଣ ଦେଉଥିବା ବ୍ୟକ୍ତିଗତ ତଥ୍ୟର କିଛି ଗୋପନୀୟତା ନାହିଁ। ଆପଣଙ୍କ ବ୍ୟକ୍ତିଗତ ଦସ୍ତାବିଜ୍‌ ଓ ଦସ୍ତଖତରୁ ସେମାନେ ଲକ୍ଷ ଲକ୍ଷ/କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଦେଉଛନ୍ତି। ଏମନ୍ତ ଠକିବାରେ ସିଧାସଳଖ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ରହିବାର ଖବର ବି ପଢ଼ୁଥିବେ। ଏଇ ଯେମିତି ବ୍ୟକ୍ତି ଜଣକ ୧୦ ଲକ୍ଷ ଟଙ୍କା ଋଣ ଆବେଦନ କରିଛନ୍ତି, ହେଲେ ତାଙ୍କ ନାମରେ ୬୦ ଲକ୍ଷ ଟଙ୍କା ଋଣ ଉଠିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଆସିଲା। ତେବେ କିଛି ବର୍ଷ ପରେ ୬୦ ଲକ୍ଷ ଟଙ୍କା ଋଣ କରିଥିବାର ତାଙ୍କ ପାଖକୁ ଋଣଖିଲାପୀ ନୋଟିସ୍‌ ଆସିବା ପରେ ମହାଶୟ ଜାଣିଲେ ଯେ, ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ସେ ଠକେଇର ଶିକାର ହୋଇଛନ୍ତି। ବାକି ଟଙ୍କା ବ୍ୟାଙ୍କ କର୍ମଚାରୀ ଚଳୁ କରିଦେଇଛନ୍ତି। ଭାବନ୍ତୁ ତ, ଆପଣ କାହାକୁ ବିଶ୍ୱାସ କରିବେ?
ଆପଣଙ୍କ ଜମି ଗୋଟିଏ ଜାଗାରେ ଥିବ, କିନ୍ତୁ ଋଣ ଉଠୁଥିବ ଆଉ ଏକ ଜାଗାରେ, ଅନ୍ୟ ଏକ ଜିଲାର କୌଣସି ବ୍ୟାଙ୍କ ଶାଖାରେ। କାରଣ ଠକଙ୍କ ର଼୍ୟାକେଟ୍‌ ସହ ପ୍ରତ୍ୟକ୍ଷ ଭାବେ ସାମିଲ ହେଉଛନ୍ତି ବ୍ୟାଙ୍କ କର୍ମଚାରୀ। ଜମି ଦଲାଲ, ବିଲ୍‌ଡର, ଠକ ଓ କିଛି ବ୍ୟାଙ୍କ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସାଂଘାତିକ ଜାଲିଆତି। ବେସରକାରୀ ବ୍ୟାଙ୍କ କଥା ଛାଡ଼ନ୍ତୁ, ସରକାରୀ ଜାତୀୟକରଣ ବ୍ୟାଙ୍କର କର୍ମଚାରୀମାନେ ବହୁଳ ଭାବରେ ଏହି ର଼୍ୟାକେଟରେ ଅଛନ୍ତି। ଏଥିରେ ପ୍ରତ୍ୟକ୍ଷ ସହଯୋଗ ପ୍ରଦାନ କରୁଛନ୍ତି ସବ୍‌-ରେଜିଷ୍ଟ୍ରି ଅଫିସ। ଏହି ଅଫିସରୁ ଦଲିଲ, ପଟ୍ଟାର ଅବିକଳ ନକଲ ପ୍ରସ୍ତୁତ କରାଯାଉଛି। ବ୍ୟାଙ୍କର ମ୍ୟାନେଜର ମଧ୍ୟ ଏଥିରେ ପକ୍ଷ ହୋଇ ବନ୍ଧକ ଚୁକ୍ତିନାମା (ଇକୁଟେବଲ ମର୍ଟଗେଜ୍‌ ବାଇ ଡିପୋଜିଟ୍‌ ଅଫ୍‌ ଟାଇଟଲ ଡିଡ୍‌) କରୁଛନ୍ତି। ବିନା ଆଧାର ଚିହ୍ନଟ, ଅସଲି ଜମି କବଲା ତନଖିରେ ଜାଲ ଦସ୍ତାବିଜରେ ମୋଟା ଅର୍ଥ ନେଇ ସବ୍‌-ରେଜିଷ୍ଟ୍ରାର ସେଥିରେ ଦସ୍ତଖତ ମାରିଦେଉଥିବାର ସଙ୍ଗିନ ଅଭିଯୋଗ ଏବେ ସାମ୍ନାକୁ ଆସୁଛି। ଆଜ୍ଞା, ଇଏ ହଉଚି ଆମ ରାଜସ୍ବତନ୍ତ୍ର, ଟଙ୍କା ପାଇଁ ଏମାନେ ସବୁ କିଛି କରିପାରିବେ। ଆପଣ ଋଣ କରି ନ ଥିବେ, କିନ୍ତୁ ଇସି ବା ଏନ୍‌କୁମ୍ବରାନ୍ସ ସାର୍ଟିଫିକେଟରେ ଆପଣଙ୍କ ଜମି ବନ୍ଧା ପଡ଼ିଥିବାର ଦେଖଉଥିବ। ତେଣୁ ମଝିରେ ମଝିରେ ନିଜ ଜମିର ଇସି ଦେଖୁଥିବେ (ଆଜିକାଲି ଅନ୍‌ଲାଇନରେ ସବୁକିଛି ମିଳିଯାଉଛି), କାଳେ ଆପଣଙ୍କ ଜମି ଆଉ କେହି ବନ୍ଧା ପକେଇଦେଇନି ତ? ସବୁ ନୀତି ନିୟମ ଉଲ୍ଲଂଘନ କରି ଆମ ବ୍ୟବସ୍ଥା ଚାଲିଚି ସଚରାଚର। ଏ ଗଣତାନ୍ତ୍ରିକ ରାଷ୍ଟ୍ର ‘ଆଜାଦୀର ଅମୃତ ମହୋତ୍ସବ’ ପାଳନ କରୁଛି, ତେବେ ଜାଣିରଖନ୍ତୁ ସ୍ବାଧୀନତାର ଏ ୭୫ ବର୍ଷରେ ମଧ୍ୟ ଆପଣଙ୍କ ଧନ, ଜୀବନ ସୁରକ୍ଷିତ ନୁହେଁ। ଆମ ତଥାକଥିତ ବ୍ୟବସ୍ଥା ଆପଣଙ୍କୁ ହାତରେ ମାରିବ, ନ ହେଲେ ଭାତରେ ମାରିବ। ଗଳିକନ୍ଦିରେ ଅପରାଧୀ ମାତିଛନ୍ତି, ଧମକ ଦେଇ ଛୁରି ଭୁଜାଲି, ବନ୍ଧୁକ ମୁନରେ ଲୁଟ୍‌ କରୁଛନ୍ତି, ହତ୍ୟା, ବଳାତ୍କାର କରୁଛନ୍ତି। ଆଉ କିଛି ଅପରାଧୀ କଳବଳ କୌଶଳରେ ଲୁଟି ଚାଲିଛନ୍ତି।
ଆମ ଅର୍ଥମନ୍ତ୍ରୀ ଅମୃତ ବଜେଟ ପେସ୍‌ କରୁଛନ୍ତି, ମହାଭାରତର ଶ୍ଳୋକ ପଢ଼ୁଛନ୍ତି, ୨୫ ବର୍ଷର ଦୀର୍ଘମିଆଦୀ ବଜେଟ ବୋଲି ଡିଣ୍ଡିମ ପିଟୁଛନ୍ତି, ତେବେ ସେଇ ଅର୍ଥ ବ୍ୟବସ୍ଥାର ଏକ କରାଳ ଚିତ୍ର ହେଉଛି ଚାପଗ୍ରସ୍ତ ସମ୍ପତ୍ତି ବା ଏନ୍‌ପିଏ (ନନ୍‌-ପରଫର୍ମିଂ ଆସେଟ୍‌)। ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ବଢ଼ି ବଢ଼ି ଚାଲିଛି। ବିଜୟ ମାଲ୍ୟା, ନୀରବ ମୋଦିଙ୍କ ଭଳି ଲକ୍ଷ ଲକ୍ଷ ୪୨୦ ଠକଙ୍କୁ ଆମ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଲାଳନପାଳନ କରୁଛି। ୨୦୨୦ ସେପ୍ଟେମ୍ବର ସୁଦ୍ଧା ଚାପଗ୍ରସ୍ତ ଋଣ ଅନୁପାତ ୭.୯ ପ୍ରତିଶତ ଥିବାବେଳେ ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏହା ୮.୫ ପ୍ରତିଶତ ହେଲାଣି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଆମ ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ୧୩ ହଜାର କୋଟିକୁ ଟପିଗଲାଣି। ଋଣ ଠକିବା ପାଇଁ ବ୍ୟାଙ୍କ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତଥା ପରୋକ୍ଷ ସମ୍ପୃକ୍ତି ଏଭଳି ପରିସ୍ଥିତି ପାଇଁ ଦାୟୀ। ଆପଣ ବିଶ୍ୱାସ କରିବେନି, ବ୍ୟାଙ୍କ ଠକେଇ ସମ୍ବନ୍ଧୀୟ ଅଭିଯୋଗକୁ ମଧ୍ୟ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ବିଚରା ନିରୀହ ଲୋକଟି ମାନସିକ ଅଶାନ୍ତିରେ ଘାରି ହେଉଛି। ବ୍ୟାଙ୍କଗୁଡ଼ିକରେ ଉପରୁ ତଳ ପର୍ଯ୍ୟନ୍ତ ଅନେକ ଅଧିକାରୀ ଠକେଇ ଅର୍ଥ ହରିଲୁଟ୍‌ରେ ସମ୍ପୃକ୍ତ ଥିବାରୁ ଏଭଳି ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଆପଣ ଭାବୁଥିବେ, ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଏବେ ଉନ୍ନତ ଜ୍ଞାନକୌଶଳରେ ସମୃଦ୍ଧ ହେଲାଣି। ଅଭିଯୋଗ କଲେ ତୁରନ୍ତ ସମାଧାନ ହେଇଯିବ। ହେଲେ ବର୍ଷ ବର୍ଷ ଗଡ଼ିଯାଉଛି, ଅଭିଯୋଗର ସମାଧାନ ହେଉନି। ସମବାୟ ବ୍ୟାଙ୍କମାନଙ୍କରେ ଯାହାକୁ ଯେତେ ଜାଲିଆତି, ଯାହାକୁ ଯେତେ ଠକେଇ। ଚାଷୀମାନଙ୍କର ଜମି ବନ୍ଧକ ରଖି ଠକ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଋଣ ଉଠାଇ ଦେଉଛନ୍ତି। ବିଚରା ଚାଷୀ ମୁଣ୍ଡରେ ହାତ ଦେଉଛି। ତା’ ପରେ କୋଟ କଚେରିକି ଧାଉଁଛି ନିରୀହ ଚାଷୀ। ଆମ ବ୍ୟବସ୍ଥାର ବିଷ ତଳଠୁଁ ଉପର ସଞ୍ଚରିଯାଇଛି। ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ଅଧୋଗତିକୁ ଏହା ସୂଚାଉ ଥିବାବେଳେ ବ୍ୟାଙ୍କ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱସନୀୟତା ଦିନକୁ ଦିନ ତୁଟିଯାଉଛି।
ବିଶ୍ୱାତ୍ମା, ବକ୍ସି ଜଗବଂଧୁ ନଗର, ଖୋର୍ଦ୍ଧା

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri