ଭଦ୍ରକ ଅଫିସ, ୩୧।୫- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ହସିନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମ ନିକଟରେ ରବିବାର ରାତିରେ ବୈତରଣୀର ୩୦ ଫୁଟ ଲମ୍ବର ନଦୀବନ୍ଧ ଧସି ଯାଇଛି। ବାତ୍ୟା ‘ୟାସ୍’ ଯୋଗୁ ନଦୀରେ ବନ୍ୟା ଆସିଥିଲା। ଜଳସ୍ତର କମିବା ପରେ ଏହି ଘଟଣା ଘଟିଛି। ସ୍ଥାନୀୟ ଜଳସେଚନ ବିଭାଗ ଯନ୍ତ୍ରୀ ରମେଶ ଚନ୍ଦ୍ର ଦାସ ସୋମବାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଠିକ୍ ଏହି ସ୍ଥାନରେ ପ୍ରାୟ ୫୦ ଫୁଟ୍ର ନଦୀବନ୍ଧ ଧସିଯାଇଥିଲା। ସେତେବେଳେ ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନଦୀବନ୍ଧ ମରାମତି କରାଯାଇଥିଲା। ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ରାଜନେତାମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ତୁରନ୍ତ ପଥରପ୍ୟାକିଂ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପଥରପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇନାହିଁ।