Advertisement

ଫୁଟବଲ୍‌ର ରଙ୍ଗ କଳା ଧଳା କାହିଁକି

ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ସାରା ପୃଥିବୀରେ ଅନେକ ଫ୍ୟାନ୍‌ ଅଛନ୍ତି। ପୃଥିବୀ ପ୍ରସିଦ୍ଧ ଏହି ଖେଳ। ତେଣୁ ଏହି ଖେଳ କଥା ଉଠିଲେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌। ଯାହାକୁ ନେଇ ଦୁଇ ଟିମ୍‌ର ଖେଳାଳୀ ଖେଳିଥାନ୍ତି। ତେବେ କେବେ ଭାବିଛନ୍ତି କି ଏହି ବଲ୍‌ କଳା ଧଳା ରଙ୍ଗର କାହିଁକି ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ଆଜିକାଲି ଫୁଟବଲ୍‌ ବିଭିନ୍ନ ରଙ୍ଗର ଆସିଲାଣି। ହେଲେ ଫୁଟବଲ୍‌ କହିଲେ କଳା ଧଳା ରଙ୍ଗର ବଲ୍‌ ଭାବେ ସମସ୍ତଙ୍କ ମନରେ ଘର କରି ରହିଛି। କାରଣ ଏହା ଦୀର୍ଘ ବର୍ଷ ହେବ ବ୍ୟବହାର ହୋଇଛି। ତେବେ ପ୍ରାରମ୍ଭିକ ସମୟରେ ଫୁଟ୍‌ବଲ ବାଦାମୀ ରଙ୍ଗର ଚମଡ଼ାରେ ତିଆରି ହେଉଥିଲା। ତେଣୁ ତା’ର ରଙ୍ଗ ବାଦାମୀ ରଙ୍ଗ ଥିଲା। ୧୯୬୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ଫୁଟବଲ୍‌ର ରଙ୍ଗ ବାଦାମୀ ହିଁ ଥିଲା। କିନ୍ତୁ ଏହାପରେ ଧୀରେ ଧୀରେ ଫୁଟବଲ୍‌ ମ୍ୟାଚ୍‌କୁ ଟିଭିରେ ପ୍ରସାରିତ କରାଗଲା। ଅଧିକରୁ ଅଧିକ ମ୍ୟାଚ୍‌ ଟେଲିକାଷ୍ଟ ହେବାଦ୍ୱାରା ଦର୍ଶକଙ୍କ ସଂଖ୍ୟା ବଢିଲା। ସେତେବେଳେ କଳା ଧଳା ଟିଭି ପରବାରେ ବାଦାମୀ ରଙ୍ଗର ବଲ୍‌ ସ୍ପଷ୍ଟ ଦେଖାଯାଉ ନ ଥିଲା। ବଲ୍‌ କୁଆଡେ ଗତି କରୁଥିଲା କୁଆଡ଼େ ଯାଉଥିଲା ଜଣା ପଡ଼ୁ ନ ଥିଲା। ଏହି କାରଣରୁ ହିଁ ବଲ୍‌ର ରଙ୍ଗ ବଦଳାଇବାକୁ ଚିନ୍ତା କରାଯାଇଥିଲା।୧୯୭୦ରେ ଆଡିଡାସ କମ୍ପାନୀ ଏହି ସମସ୍ୟାକୁ ସମାଧାନ କରିବାକୁ ଯାଇ ‘ଟେଲଷ୍ଟାର’ ବା ‘ଟେଲିଭିଜନ୍‌ ଷ୍ଟାର’ ନାମକ ବଲ୍‌ ତିଆରି କଲା, ଯାହାର ରଙ୍ଗ କଳା ଧଳା ଥିଲା। ଏହି ବଲ୍‌କୁ ସର୍ବପ୍ରଥମେ ମେକ୍ସିକୋରେ ହୋଇଥିବା ୧୯୭୦ ଫିଫା ବିଶ୍ୱକପ୍‌ରେ ବ୍ୟବହାର କରାଯାଇଥିଲା। ଧଳା ବ୍ୟାକଗ୍ରାଉଣ୍ଡରେ କଳାରଙ୍ଗ ଥିବାରୁ ଟିଭି ପରଦାରେ ଏହା ସ୍ପଷ୍ଟ ଦେଖାଗଲା। ବଲ୍‌ର ଡିଜାଇନ୍‌ ବି ଖାସ୍‌ ଥିଲା। ଧଳାରଙ୍ଗର ହେକ୍ସାଗନ ଉପରେ କଳାରଙ୍ଗର ପେଣ୍ଟାଗନ୍‌ କରାଯାଇଥିଲା। ଦୀର୍ଘବର୍ଷ ଧରି ଏହି ବଲ୍‌ ବ୍ୟବହାର ହେଲା। ତେବେ ଆଜିକାଲି ଏହାର ଡିଜାଇନ୍‌ରେ ଆସିଛି କିଛିଟା ପରିବର୍ତ୍ତନ। ତଥାପି ଫୁଟବଲ୍‌ କହିଲେ ପ୍ରଥମେ ମନକୁ ଏହି କଳାଧଳା ବଲ୍‌ ହିଁ ଆସିଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel