Categories: ଜାତୀୟ

‘ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଲେ ଏମ୍‌ଏମ୍‌ ନରଭାଣେ

ନୂଆଦିଲ୍ଲୀ,୧୬।୧୨: ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରଭାଣେ ୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସେମ୍ବର ୮ରେ ଆଇଏଫ୍‌ ହେଲିକପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଥିଲା।ଜେନେରାଲ ନରଭାଣେ ବରିଷ୍ଠ ହୋଇଥିବାରୁ କମିଟିର ସଭାପତି ଭାବରେ ଏହି ଦାୟିତ୍ୱ ଦିଆଯାଇଛି।
ଜେନେରାଲ ନାରଭାଣେ ୩ ସେନା ପ୍ରମୁଖଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ। ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଭି ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ତାଙ୍କ ଠାରୁ କନିଷ୍ଠ। ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରଭାଣେଙ୍କୁ ତିନି ସେନା ବାହିନୀ ପାଇଁ ଗଠିତ କମିଟିର ମୁଖ୍ୟ କରାଯାଇଛି। ୨୦୧୯ ମସିହା ଡିସେମ୍ବର ୩୧ରେ ଜେନେରାଲ ନରଭାଣେ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଜେନେରାଲ ନରଭାଣେ ଦେଶର ପରବର୍ତ୍ତା ସିଡିଏଓ୍‌ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଛି। ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରଭାଣେଙ୍କୁ ଏହି ପଦ ମିଳିପାରେ ବୋଲି କୁହାଯାଉଛି।

Share