କମ୍ପାନୀକୁ ୧୨ କୋଟି ଟଙ୍କାର ଚୂନା ଲଗାଇଥିଲେ କ୍ୟାସିୟର

ଝାରସୁଗୁଡା ଅଫିସ୍‌,୨୩।୫, ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଡ଼ିଶା-ବେଙ୍ଗଲ କ୍ୟାରିୟର ଲିଃ ନାମକ ଟ୍ରାନ୍ସପୋର୍ଟ କମ୍ପାନୀରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ କମ୍ପାନୀରେ କାର୍ଯ୍ୟରତ କ୍ୟାସିୟର ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ କ୍ୟାସିୟର ଚେନାରାମ ସାଇନି ଓ ସହଯୋଗୀ ଆକାଶ ପାଠକ। ଏନେଇ ଝାରସୁଗୁଡା ଥାନା ପୋଲିସ ଏକ ମାମଲା(ନଂ.୨୧୫/୨୧) ରୁଜୁକରି ଘଟଣାର ଅଧିକ ତଦନ୍ତ ଚଲାଇଛି ।

ପୋଲିସ ମୁଖ୍ୟ ଅଭିଯୁକ୍ତ କ୍ୟାସିୟର ଚେନାରାମଙ୍କୁ ରାଞ୍ଚିରୁ ଗିରଫ କରିଥିବା ବେଳେ ତାଙ୍କର ସହଯୋଗୀ ଆକାଶଙ୍କୁ ସରବାହାଲରୁ ଗିରଫ କରିଛି। ଅଭିଯୁକ୍ତ ଆକାଶଙ୍କ ଏକ ପ୍ରିଣ୍ଟିଂ ପ୍ରେସ୍‌ ରହିଛି ା ଏହି ପ୍ରିଣ୍ଟିଂ ପ୍ରେସ୍‌ରେ କମ୍ପାନୀର ନକଲି କାଗଜପତ୍ର ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି। ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୮ ଲକ୍ଷ ଟଙ୍କା ରହିଛି। ଏନେଇ କ୍ୟାସିୟର ଚେନାରାମ ୧ କୋଟି ଟଙ୍କା ଆକାଶଙ୍କୁ ଦେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏପରିକି ଚେନାରାମଙ୍କ ବିଭିନ୍ନ ବ୍ୟବସାୟୀକ ସଂସ୍ଥା ରହିଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଠକେଇ ସଂକ୍ରାନ୍ତରେ ଟ୍ରାନ୍ସପୋର୍ଟ କମ୍ପାନୀ ମାଲିକ ରବି ଅଗ୍ରଓ୍ବାଲ ଝାରସୁଗୁଡା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Share