ପ୍ରତିଶ୍ରୁତି ଦେଇ ଭୁଲିଯାଉଛି କମ୍ପାନୀ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବଫଳାମାଲି ପର୍ବତରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରୁଛି। ହେଲେ ଜମି ହରାଇଥିବା ହିତାଧିକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ସତେ କେମିତି ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଖଣି ଖନନ ଆରମ୍ଭକୁ ଆଜକୁ ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିସ୍ଥାପିତଙ୍କ ସମସ୍ୟା ବୁଝିବାରେ ଅବହେଳା କରିଛି ଉତ୍କଳ ଆଲୁମିନା କମ୍ପାନୀ। ଅଭିଯୋଗ ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକର ବଫଳାମାଲି ପର୍ବତ ଶିଖରରେ ଥିବା ଅଡ୍ରି, ଗୋପୀନାଥପୁର ଓ ମାଳିଗାଁ ପଞ୍ଚାୟତ ୧୦ରୁ ଊଦ୍ଧର୍‌ବ ଗାଁ ଲୋକଙ୍କୁ ବିସ୍ଥାପିତ କରିବା ସହ ଖଣି ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗ୍ରାମ ସଭାରେ ଦେଇଥିବା ପ୍ରତିଶ୍ରୁତିକୁ କମ୍ପାନୀ କର୍ତ୍ତୃପକ୍ଷ ପୂରଣ ନ କରିବାରୁ କଳାହାଣ୍ଡି ଜିଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଗତ ୧୧ ତାରିଖରୁ ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରଠାରୁ ୩ଟି ପଞ୍ଚାୟତବାସୀଙ୍କୁ ନେଇ ଜିଲା କଂଗ୍ରେସ ପକ୍ଷରୁ ଦୀର୍ଘ ୧୨୦ କି.ମି. ପଦଯାତ୍ରା ହୋଇଥିଲା। ମଙ୍ଗଳବାର ଏହି ପଦଯାତ୍ରା ଭବାନୀପାଟଣାଠାରେ ପହଞ୍ଚତ୍ବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଜିଲା ସଭାପତି ଭାରତ ଭୂଷଣ ବେମାଲ, ଜିଲା ଉପସଭାପତି ପରମା ନନ୍ଦ ମାଝି, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ସାହେବ, ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ଦ୍ରୋପଦି ମାଝି, ସ୍ଥାନୀୟ ବ୍ଲକ ସଭାପତି ମନ ରଞ୍ଜନ ନାଏକ, ମୁରଲୀ ଧର ନାଏକ, ରବି ପଟ୍ଟଯୋଶୀ, ତୁଲେଶର ନାଏକ, ଜିଲା ଉପସଭାନେତ୍ରୀ ମନ୍ଦାକିନି ବାଣୁଆ ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ବିରୋଧରେ ଗର୍ଜିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୋବାଇଲ ନେଟୱାର୍କ, କମ୍ପାନୀରେ ନିଯୁକ୍ତି, ସମସ୍ତ ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା ଆଦି ପ୍ରଦାନ ଦାବି କରଯାଇଛି। ଏ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ନ ଦେଲ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବା ନେଇ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Share