ଇଡି ସ୍କାନରରେ ବୁର୍ଜ ଖଲିଫା ନିର୍ମାଣ କରିଥିବା କମ୍ପାନୀ, ଜାଣନ୍ତୁ ପୂରା ଘଟଣା…

ଦୁବାଇ,୧ା୯: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇରେ ଥିବା ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀର ଭାରତୀୟ ୟୁନିଟ୍‌ ଏମାର ଇଣ୍ଡିଆ ବିରୋଧରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏମାର ଇଣ୍ଡିଆ ଲିମିଟେଡ୍‌ ଏବଂ ଏମ୍‌ଜିଏଫ୍‌ ଡେଭଲପ୍‌ମେଣ୍ଟ ଲିମିଟେଡର ଅସ୍ଥାବର ସମ୍ପତ୍ତି ଜବତ କରିଛି। ଯାହାର ମୂଲ୍ୟ ୮୩୪.୦୩କୋଟି ଟଙ୍କା ବୋଲି କୁହାଯାଉଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଏମାର ଇଣ୍ଡିଆ ଏବଂ ଏମ୍‌ଜିଏଫ୍‌ ଡେଭଲପମେଣ୍ଟ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ବିଷୟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ମାଧ୍ୟମରେ ଇଡି ନିଜେ ପ୍ରଦାନ କରିଛି। କୌତୂହଳର ବିଷୟ, ଏହା ହେଉଛି ସେହି ସମାନ ଫାର୍ମ ଯାହାର ପ୍ୟାରେଣ୍ଟ କମ୍ପାନୀ ଦୁବାଇରେ ବୁର୍ଜ ଖଲିଫା ଦୁନିଆର ସବୁଠୁ ଉଚ୍ଚତମ ଢାଞ୍ଚାରେ ନିର୍ମାଣ କରିଛି। ଦୀର୍ଘ ସମୟ ଧରି ଏହି ବିଲଡିଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

୧୯୯୭ରେ ମହମ୍ମଦ ଅଲ୍ଲବାର ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। ବର୍ତ୍ତମାନ, ଏହି କମ୍ପାନୀ ବାଣିଜି୍ୟକ ଏବଂ ଆବାସିକ ସମ୍ପତ୍ତି ସହିତ ମଲ୍‌ ଏବଂ ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରୁଛି। କମ୍ପାନୀ ଆରମ୍ଭ ସମୟରେ ଏହା ଶତପ୍ରତିଶତ ଦୁବାଇ ସରକାରଙ୍କର ଥିଲାବେଳେ ପ୍ରତିଷ୍ଠାତା ଅଂଶୀଦାରମାନେ ୨୪.୩ ପ୍ରତିଶତ ଅଂଶଧନ ଧାରଣ କରିଥିଲେ। ଆଇପିଓ ପରେ, ଏମାର କମ୍ପାନୀର ବ୍ୟବସାୟ ୨୦୦୦ରେ ଏକ ପବ୍ଲିକ କମ୍ପାନୀ ଭାବରେ ଆରମ୍ଭ ହୋଇଥିଲା।

ଏମାର କମ୍ପାନୀ ସମଗ୍ର ବିଶ୍ୱରେ ରହିଛି। ଏହା ମଧ୍ୟ ଅନେକ ପ୍ରକାରର ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ନ୍ୟୁୟର୍କରେ ୨୦୧୫ର ନୂଆ ବର୍ଷ ଇଭେଣ୍ଟ। ଏହି ଶୋ’ ସେହି ସମୟରେ ଟିଭିରେ ସର୍ବାଧିକ ଦେଖାଯାଇଥିବା ଶୋ’ ଭାବରେ ପରିଗଣିତ ହୋଇଥିଲା। ଏହାର ନାମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ପଞ୍ଜୀକୃତ ହୋଇଥିଲା। ଡିସେମ୍ବର ୨୦୦୦ରେ ଏମାରର ଚେୟାରମ୍ୟାନ ମହମ୍ମଦ ଅଲ୍ଲବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ପରିଚାଳନା ନିର୍ଦ୍ଦେଶକ ଭାବରେ ସେ ପ୍ରତିଦିନ କମ୍ପାନୀର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ଏମାରର ମୋଟ୍‌ ସମ୍ପତ୍ତି ହେଉଛି ୨୩.୭୬ ବିଲିୟନ ଡଲାର।

ଏହି ଅନୁଯାୟୀ, ଏମାର ସମ୍ପତ୍ତି ଉପରେ କାର୍ଯ୍ୟ ଭାରତରେ ପ୍ରଥମ ଘଟଣା ନୁହେଁ। ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, ଏମାର କମ୍ପାନୀର ସହାୟକ କମ୍ପାନୀ ଏମାର ଇଣ୍ଡିଆ ଲିମିଟେଡ୍‌ର କିଛି ଅଧିକାରୀ ୨୦୨୩ରେ ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସ ଓ୍ବିଙ୍ଗ୍‌ ନିକଟରେ ଏକ ଠକେଇ ମାମଲାରେ ହାଜର ହୋଇଥିଲେ।

Share