Categories: ଜାତୀୟ

ଭାରତୀୟ ଯବାନଙ୍କୁ ନିମ୍ନମାନର ସ୍ନୋ ସୁଟ୍‌ ଯୋଗାଉଥିବା କମ୍ପାନୀକୁ ବାରମ୍ବାର ମିଳୁଛି ଠିକା

ନୂଆଦିଲ୍ଲୀ, ୫।୭: ସିଆଚେନ୍‌ ଗ୍ଲାସିଅରରେ ମୁତୟନ ଥିବା ଭାରତୀୟ ଯବାନଙ୍କୁ ପ୍ରବଳ ଥଣ୍ଡାରୁ ସୁରକ୍ଷିତ ରହିବା ଲାଗି ସ୍ନୋ ସୁଟ୍‌ ଯୋଗାଇ ଦିଆଯାଉଛି। ଏହା ଶ୍ରୀଲଙ୍କାର ରେନ୍‌ଓ୍ବେର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଯୋଗାଇ ଦିଆଯାଉଛି। ଏହି ସ୍ନୋ ସୁଟ୍‌ ଗୁଡ଼ିକ ନିମ୍ନମାନର ହୋଇଥିଲେ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ବାରମ୍ବାର ଏହି କମ୍ପାନୀକୁ ଠିକା ଦିଆଯାଉଛି। ଏନେଇ ୨୦୧୯ ଜୁଲାଇ ୨ରେ ଆହ୍ଲାବାଦ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୨୦୧୨ରୁ ୨୦୧୫ ମଧ୍ୟରେ ଶ୍ରୀଲଙ୍କା କମ୍ପାନୀ ୨ ନିୟୁତ ଡଲାରର ସ୍ନୋ ସୁଟ୍‌ ଭାରତକୁ ଯୋଗାଇ ଦେଇଛି। ଏଗୁଡ଼ିକ ନିମ୍ନମାନରେ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ କାହିଁକି ଗ୍ରହଣ କରାଯାଉ ନାହିଁ ସେ ସମ୍ପର୍କରେ ରୀତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଶ୍ନ କରିଥିଲେ। ଏହାଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ଅନୁରୋଧ କରିଥିଲେ। ଚିଠି ଲେଖାଯିବା ଦୁଇ ସପ୍ତାହ ପୂର୍ବରୁ ଭାରତୀୟ ସେନାର ମାଷ୍ଟର ଜେନେରାଲ ଆର୍ଡିନାନ୍ସ୍‌ ଶାଖା ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ ଏହି ଠିକା ପୁଣି ଶ୍ରୀଲଙ୍କା କମ୍ପାନୀ ହାତେଇଥିଲା। ପ୍ରତିରକ୍ଷା ବିଭାଗକୁ ସଚେତନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଇ ପୁରୁଣା ଧାରାରେ ଶ୍ରୀଲଙ୍କା କମ୍ପାନୀକୁ ସ୍ନୋ ସୁଟ୍‌ ତିଆରି ଠିକା ଦିଆଯାଇଥିଲା। ଏହା ଦ୍ୱାରା ଯବାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହେଉଥିବା ନେଇ ଚର୍ଚ୍ଚା ଜାରି ରହିଛି ।

Share