Categories: ଜାତୀୟ

୨୫ ବର୍ଷ ପରେ ଜମି କ୍ଷତିପୂରଣ ମିଳିଲା ୧୦୦ କୋଟି

ନୋଏଡା,୮।୫: ଛଅ ସପ୍ତାହ ମଧ୍ୟରେ ଜଣେ ଜମି ମାଲିକଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନୋଏଡା ପ୍ରାଧିକରଣକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରେଡ୍ଡୀ ଭେରାନା ୧୯୯୭ ମସିହାରେ ଚାଲେରା ବଙ୍ଗର ଗ୍ରାମରେ ୧ କୋଟି ଟଙ୍କା ମୂଲ୍ୟରେ ୭,୪୦୦ ବର୍ଗ ମିଟରର ଦୁଇଟି ପ୍ଲଟ କିଣିଥିଲେ। ଏହାର କିଛି ଦିନ ପରେ ନୋଏଡା କର୍ତ୍ତୃପକ୍ଷ ଏହି ଜମି ଅଧିକାର ପାଇଁ ରେଡ୍ଡୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ପରେ ସେ ଏଥିରେ ହସ୍ତକ୍ଷେପ ନ କରିବାକୁ ଗୁହାରି କରି କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଥାୟୀ ଆଦେଶନାମା ପାଇଁ ଏକ ସିଭିଲ ମକଦ୍ଦମା ଦାଏର କରିଥିଲେ। ନୋଏଡା କର୍ତ୍ତୃପକ୍ଷ କୋର୍ଟଙ୍କୁ କହିଥିଲେ ଯେ, ଏହି ଜମି ଏକ ବ୍ୟବସାୟିକ ମଲରେ ଅବସ୍ଥିତ। ତେଣୁ ଏହା ବହୁତ ମହଙ୍ଗା ଥିଲା। ଭେରାନାଙ୍କ ଦ୍ୱାରା ଜମି ଅଧିକାର ବେଆଇନ ଥିଲା।
ଟ୍ରାଏଲ କୋର୍ଟରେ ଏହି ଜମି ରେଡ୍ଡୀଙ୍କ ସପକ୍ଷରେ ରହିବା ସତ୍ତ୍ୱେ କର୍ତ୍ତୃପକ୍ଷ ଏହି ଜମି ଅଧିଗ୍ରହଣ କରିଥିଲେ ଏବଂ ୨୦୦୪ରେ ଏକ ଟେଣ୍ଡର ଜାରି କରି ଉକ୍ତ ଜମିର ମାଲିକାନାକୁ ଏକ ବୃହତ୍‌ ବିଲ୍‌ଡରକୁ ହସ୍ତାନ୍ତର କରିଥିଲେ। ପ୍ରଥମେ ନିମ୍ନ ଅଦାଲତରେ ଦାଖଲ ହୋଇଥିବା ସିଭିଲ ସୁଟ ହାଇକୋର୍ଟକୁ ଏବଂ ପରେ ଶେଷରେ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରାଯାଇଥିଲା।
ଏକ ବର୍ଷ ପୂର୍ବେ ଆଲ୍ଲାହାବାଦ ହାଇକୋର୍ଟ ମଧ୍ୟ ଜମି ମାଲିକଙ୍କ ସପକ୍ଷରେ ରାୟ ଦେଇଥିଲେ। ଯଦିଓ କ୍ଷତିପୂରଣର ପରିମାଣ କମ ଥିଲା ତେଣୁ ଆବେଦନକାରୀ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଜମି ମାଲିକଙ୍କ ସପକ୍ଷରେ ରାୟ ଦେବାବେଳେ ବର୍ଗ ମିଟର ପିଛା ୧.୧୦ ଲକ୍ଷ ଟଙ୍କା ହାରରେ ୭,୪୦୦ ବର୍ଗ ମିଟରର ଜମି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share