Advertisement

୮ ବର୍ଷ ହେଲା ନିର୍ମାଣ ହୋଇପାରୁନି କଂକ୍ରିଟ ରାସ୍ତା

ବଡ଼ଗାଁ ୨୫ା୯(ଅଶୋକ ଷଢ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ମହକୁମାଠାରେ ସମସ୍ତ ବ୍ଲକର ସରପଞ୍ଚ ସଂଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ସରକାର ଗ୍ରାମସଭାକୁ ମାନ୍ୟତା ଦେଉନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ସରପଞ୍ଚ ଯେଉଁ ଅଭିଯୋଗ କରିଥିଲେ ତାହା ଗ୍ରାମବାସୀମାନେ ମଧ୍ୟ ଦୋହରାଇଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ବଡ଼ଗଁା ବ୍ଲକ ଫୁଲବାରି ପଞ୍ଚାୟତ ବିର୍ଶୁ ଗ୍ରାମ ବସ୍ତି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହା ମାଟି ରାସ୍ତା ହୋଇଥିବାରୁ ବର୍ଷାଦିନେ ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। କାଦୁଅ ପଚପଚ ରାସ୍ତାରେ ଲୋକେ ଯା’ ଆସ କରୁନ୍ତି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଅନେକ ଲୋକ ଯାତାୟତ କରିଥାନ୍ତି। ସ୍କୁଲ, କଲେଜ ଛାତ୍ରୀଛାତ୍ରମାନେ କାଦୁଅ ରାସ୍ତାରେ ଯା’ ଆସ କରୁଛନ୍ତି। ଗ୍ରାମବାସୀ ପଲ୍ଲୀସଭା ଓ ଗ୍ରାମସଭାରେ ରାସ୍ତାକୁ କଂକ୍ରିଟ କରିବାକୁ ୮ ବର୍ଷ ହେଲା ପ୍ରସ୍ତାବ ଗୃହୀତ କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଏନେଇ ଗାଁର ୱାର୍ଡ ମେମ୍ବର ପଣ୍ଡୁ କିଷାନଙ୍କ ସହିତ କେତେକ ଗ୍ରାମବାସୀ କହିଛନ୍ତି, ଦୀର୍ଘ ବର୍ଷରୁ ରାସ୍ତା ସମସ୍ୟାକୁ ନେଇ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ କରିଆସୁଛୁ। ହେଲେ କେହି ଶୁଣୁ ନ ଥିବାରୁ ଗ୍ରାମସଭା ମୂଲ୍ୟହୀନ ହୋଇଛି। ଦାବି ପୂରଣ ହେଉ ନ ଥିବାରୁ ସମସ୍ତ ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ସମ୍ବନ୍ଧୀୟ ଆଲୋଚନା କରି ନିଷ୍ପତ୍ତି ନେବାକୁ ମନସ୍ଥ କରିଛୁ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share