ମୁଶାରଫଙ୍କ ଅବସ୍ଥା ଗୁରୁତର, ପରିବାର ପକ୍ଷରୁ କୁହାଗଲା-‘ ପ୍ରାର୍ଥନା କର’

ଇସଲାମାବାଦ,୧୦।୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁସାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶୁକ୍ରବାର ତାଙ୍କ ପରିବାରପକ୍ଷରୁ ଆଧିକାରୀକ ଭାବେ ସ୍ବାସ୍ଥାବସ୍ଥା ନେଇ ସୂଚନା ଦିଆଯାଇଛି।

ପରିବାର ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, ମୁଶାରଫ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ଭେଣ୍ଟିଲେଟରରୁ ବାହାର କରାଯାଇଛି। ତଥାପି ସେ ଗୁରୁତର ଥିବା ବେଳେ ତାଙ୍କର ସୁସ୍ଥ ହେବା ଅସମ୍ଭବ। ତାଙ୍କର ଗୋଟିଏ ପରେ ଗୋଟିଏ ଅଙ୍ଗପ୍ରତ୍ୟଙ୍ଗ ଖରାପ ହେବାରେ ଲାଗିଛି। ଏଣୁ ତାଙ୍କ ଲାଗି ପ୍ରାର୍ଥନା କରିବାକୁ କୁହାଯାଇଛି।

ପ୍ରକାଶ ଯେ, ନୂଆଦିଲ୍ଲୀରେ ଜନ୍ମ ହୋଇଥିବା ମୁଶାରଫ ଦେଶ ବିଭାଜନ ପରେ ପାକିସ୍ତାନ ଚାଲି ଯାଇଥିଲେ। ୨୦୦୧ରୁ ୨୦୦୮ ଯାଏ ସେ ପାକିସ୍ତାନର ରାଷ୍ଟ୍ରପତି ଭାବେ ଶାସନ କରିଥିଲେ।

Share