ଲଗାଣ ବର୍ଷାରେ ବିଦ୍ୟାଳୟର ଅବସ୍ଥା ବେହାଲ

ସିନାପାଲି,୩।୮(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ୫-ଟି ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟକ୍ରମ ପ୍ରଶାସନର ଅବହେଳା ଯୋଗୁ ପ୍ରହସନରେ ପରିଣତ ହୋଇଛି। ଗତ ମେ ପ୍ରଥମ ସପ୍ତାହରେ ଜିଲାରେ ତୃତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାରା ଉଦଘାଟିତ ହୋଇଥିଲା। ଏହି ବ୍ଲକ ଅନ୍ତର୍ଗତ ଝାରବନ୍ଧସ୍ଥିତ ଦେବିଚରଣ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ହେଲେ ବର୍ତ୍ତମାନର ଲଘୁଚାପଜନିତ ଲଗାଣ ବର୍ଷାରେ ବିଦ୍ୟାଳୟ ଅବସ୍ଥା ବେହାଲ ହୋଇପଡିଛି। ସ୍ମାର୍ଟ ରୁମ କୋଠରି ଛାତରୁ ଗଳୁଛି ପାଣି। ବସିବା ତ ଦୂରର କଥା ପିଲାମାନେ ଠିଆ ହୋଇପାରୁନାହାନ୍ତି। କୃତ୍ରିମ ପୋଖରୀ ପାଲଟି ଯାଇଛି ସ୍ମାର୍ଟ ରୁମ। ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାରୁ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହେଉଛି। ସରକାରଙ୍କ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାକୁ ଲୋକେ ପ୍ରସଂଶା କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀମାନଙ୍କ ବେପରୁଆ କାର୍ଯ୍ୟ ଯୋଗୁ ରୂପାନ୍ତରୀ କରଣ ପ୍ରହସନ ବୋଲି ଚର୍ଚ୍ଚା ହେଉଛି। ବିଦ୍ୟାଳୟ ରୂପାନ୍ତରୀକରଣର ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ସହଜେ ଅନୁମେୟ ହେଉଛି। ଦୁଇଟି କୋଠରିର ଛାତକୁ ଠିକ ଭାବେ ସଂଯୋଗ କରାଯାଇ ନ ଥିବାରୁ ସେହି ସ୍ଥାନରେ ପ୍ରବଳ ବର୍ଷା ଜଳ ତଳକୁ ଗଳିପଡୁଥିବା ଦେଖିବାକୁ ମିଳିଛି। ସେହିପରି ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମର ବାରଣ୍ଡା ଉଚ୍ଚ ହୋଇଥିବା ବେଳେ କୋଠରି ଭିତରୁ ବର୍ଷାପାଣି ପଶି ଭର୍ତ୍ତି ହୋଇଯାଉଛି। ସେହିଭଳି ନବମ ଶ୍ରେଣୀର ସ୍ମାର୍ଟ କ୍ଲାସରୁମ ଛାତ ଉପରେ ରେନକୋଟ ଦିଆଯାଇ ନାହିଁ। ଫଳରେ ଛାତ ଉପର ପାଣି ଭେଣ୍ଟିଲେଟର ପଟୁ ଭିତରକୁ ପ୍ରବେଶ କରୁଛି। ଫଳରେ ଛାତ୍ରୀଛାତ୍ର ବସି ଅଧ୍ୟୟନ କରିବା ସମ୍ଭବ ହେଉନାହିଁ। ପ୍ରକାଶ ଯେ, ୧୯୯୩ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ୧୨୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏ ନେଇ ଯନ୍ତ୍ରୀ ମୀନାକ୍ଷୀ ମିଶ୍ରଙ୍କୁ ପଚାରିବାରୁ କଥାକୁ ହଲୁକାରେ ନେଇ ଜଏଣ୍ଟସ୍ଥାନରେ ପାଣି ଗଳୁଛି, ମରାମତି କରାଯିବ ବୋଲି କହିଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Share