ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ କୋର୍ଟରେ ଦାଖଲ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାର ୧୨ ଦିନ ପରେ ବି ପୋଲିସ କେବଳ ଫୋରେନ୍‌ସିକ୍‌ ରିପୋର୍ଟକୁ ଚାହିଁ ବସିଛି। ରିପୋର୍ଟ ମିଳିବା ପରେ ପୋଲିସ ତଦନ୍ତ ଆଗକୁ ବଢିବ। ସେପଟରେ ନିଖୋଜ ସୀମାଞ୍ଚଳ ପରିଡ଼ା ମୃତ କି ଜୀବତ ସେନେଇ ପୋଲିସ କିଛି ବି ସ୍ପଷ୍ଟ କରୁନାହିଁ। ପରିବାର ଲୋକେ ପୋଲିସ୍‌ ସୂଚନାକୁ ଅପେକ୍ଷା କରି ରହିଥିବାବେଳେ ସୋମବାର କ୍ୟାପିଟାଲ ଥାନା ପୋଲିସ ବିସ୍ପୋରଣ ସ୍ଥଳରୁ ଜବତ ସାମଗ୍ରୀକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଦାଖଲ କରିଛି। ଏହି ସାମଗ୍ରୀ ମଧ୍ୟରେ ମଣିଷ ଶରୀରର ବିଭିନ୍ନ ଅଂଶ, ଚପଲ,ଏଟିଏମ୍‌ କାର୍ଡ, ରକ୍ତ ଲାଗିଥିବା ସାମଗ୍ରୀ ଓ ପେଟ୍ରୋଲ ପମ୍ପ୍‌ର କିଛି ନମୁନା ରହିଛି। ଏସବୁକୁ ୩ଟି ପେଟି, ୨୧ ଡବା ଓ ୨୦ରୁ ଊର୍ଦ୍ଧ୍ୱ ପ୍ୟାକେଟରେ ସିଲ୍‌ କରାଯାଇ କୋର୍ଟରେ ଦାଖଲ କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ଏ ସବୁକୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଫରେନ୍‌ସିକ୍‌ ରିପୋର୍ଟ ମିଳିବା ପରେ ପୋଲିସ ସ୍ପଷ୍ଟ କରିବ ବିସ୍ଫୋରଣରେ କେତେଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ନିଖୋଜ ସୀମାଞ୍ଚଳଙ୍କ ବାପା ଓ ମା’ଙ୍କ ଠାରୁ ସଂଗ୍ରହ କରାଯାଇଥିବ ରକ୍ତ ନମୁନାକୁ ଜବତ ମାଂସ ଖଣ୍ଡର ଡିଏନ୍‌ଏ ନମୁନା ସହ ମିଶାଯିବ। ତାହା ମିଶିଗଲେ ବିସ୍ଫୋରଣସ୍ଥଳରୁ ଜବତ ମାଂସ ସୀମାଞ୍ଚଳଙ୍କର ବୋଲି ସ୍ପଷ୍ଟ ହେବ।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଜବତ ମାଂସ ଖଣ୍ଡକୁ କ୍ୟାପିଟାଲ ହସ୍ପଟାଲରେ ରଖାଯାଇଥିଲା। ଏହାସହ ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ ମଧ୍ୟ ପୋଲିସ ନିକଟରେ ରହିଥିଲା। ଜବତ ସାମଗ୍ରୀ କୋର୍ଟ ସମ୍ପତ୍ତି ହୋଇଥିବାରୁ ତାହାକୁ ଦାଖଲ କରାଗଲା। କୋର୍ଟଙ୍କ ଅନୁମତିକ୍ରମେ ଏହାକୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଆଉ ୪ଦିନ ଭିତରେ ଏହାର ରିପୋର୍ଟ ଆସିବ। ସେପଟେ ପୋଲିସର ଏଭଳି ବିଳମ୍ବ ପାଇଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୀମାଞ୍ଚଳଙ୍କ ପରିବାର। ଆହୁରି ବଳମ୍ବ ହେଲେ ସିପି ଅଫିସ ଆଗରେ ଧାରଣାରେ ବସିବେ ବୋଲି ସୀମାଞ୍ଚଳଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

Share