କାମ ପାଇଁ ଯନ୍ତ୍ରୀ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର, ୫।୭(ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ଜଳସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନରେ କଟକ ଜ଼ିଲା କଂଗ୍ରେସ ପକ୍ଷରୁ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜ଼ିଲାର କେତେଜଣ ଚାଷୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକେ ପ୍ରାଚୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତର କେନାଲ ବନ୍ଧ ରାସ୍ତା ଓ କେନାଲର ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ପଚରାଉଚରା କରିଥିଲେ। ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବା ଅଭିଯୋଗ ଆସିଥିଲା। ରାସ୍ତା କାମ ପାଇଁ ଯେତେ ଅନୁରୋଧକଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ। ବିନା ଲାଞ୍ଚରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ। ସେମାନେ ଏନେଇ କଟକ ଜ଼ିଲା କଂଗ୍ରେସ ସଭାପତିଙ୍କୁ ଅବଗତ କରାଇଥିଲେ। ତେଣୁ ମଙ୍ଗଳବାର ମାନସ ଚୌଧୁରୀ ଏବଂ ଖଣ୍ଡେଇତା ପଞ୍ଚାୟତର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କିଛି ପରିବା, ପ୍ୟାଣ୍ଟଶାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବା ପାଇଁ ଅକ୍ଷମ ବୋଲି କହିଥିଲେ। ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ ନିଜ ଭୁଲ୍‌ ସ୍ବୀକାରକରି ସପ୍ତାହକ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଉପସ୍ଥିତ କଂଗ୍ରେସର ଅନ୍ୟ କେତେଜଣ ନେତା କହିଛନ୍ତି। ଏହି ଅବସରରେ ଅନେକ ଯୁବଚାଷୀ ମୁହଁରେ ମାନସ ଚୌଧୁରୀଙ୍କ ମୁଖା ପିନ୍ଧି ଏବଂ ହାତରେ ‘ମୁଁ ମାନସ ଚୌଧୁରୀ’ ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀଙ୍କ ନିକଟରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା।

Share