ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ। ତାଙ୍କ ସ୍ଥାନରେ ଦଳ ସାକା ସୁଜିତ କମାରଙ୍କୁ ନୂଆ ପ୍ରାର୍ଥୀ କରିଛି। ଏନେଇ ବୁଧବାର ରାତି ୯ଟାରେ ‘ଏକ୍ସ’ ଜରିଆରେ ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶାରେ ମେ’ ୧୩ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଗୁରୁବାର ନାମାଙ୍କନ ଦାଖଲ ଶେଷ ହେବ। ଏହା ପୂର୍ବରୁ କଂଗ୍ରେସ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇବାରୁ ଚର୍ଚ୍ଚା ଜୋର ଧରିଛି। ଏହି ଆସନରେ ବିଜେଡିରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ପ୍ରାର୍ଥୀ ହୋଇଛନ୍ତି। ସେହିପରି ପୂର୍ବତନ ବ୍ରହ୍ମପୁର ଏମ୍‌ପି ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି।

କଡ଼ା ମୁକାବିଲା ହେଉଥିବାରୁ ଦିଗପହଣ୍ଡି ଆସନ ଚର୍ଚ୍ଚାରେ ରହିଛି। ଏଠାରେ କଂଗ୍ରେସ କାହିଁକି ପ୍ରାର୍ଥୀ ବଦଳାଇଛି ତାହା ସ୍ପଷ୍ଟ ହୋଇନାହିଁ। ଟିକେଟ କଟିବା ପରେ ଶ୍ରୀଧର କହିଛନ୍ତି, ନିର୍ଭର ପ୍ରତିଶ୍ରୁତି ମିଳିଥିବାରୁ ବୁଧବାର ସେ ନାମାଙ୍କନପତ୍ର ଦାଖଲ କରିଥିଲେ। ଶେଷ ମୁହୂର୍ତ୍ତରେ ପ୍ରଦେଶ କଂଗ୍ରେସ କମିଟି ଟିକେଟ କାଟିଥିବାରୁ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି।

Share