ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୭।୮(ଅନିଲ ଦାସ): ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ସଂରକ୍ଷଣ ଦାବି ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ବର୍ଷ ଧରି ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ‘ସମ୍ବିଧାନ ସମ୍ମତ ସଂରକ୍ଷଣ’ ବ୍ୟବସ୍ଥା ଲାଗୁ ହୋଇନାହିଁ।
ଚଳିତବର୍ଷ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆମେ ଆଶା କରିଥିଲୁ ‘ସାମାଜିକ ନ୍ୟାୟ’ ଜାତିଭିତ୍ତିକ ଜନଗଣନା ଓ ସମଗ୍ର ଦେଶରେ ଲାଗୁ ହୋଇଥିବା ସଂରକ୍ଷଣ ଉଭୟ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଓଡ଼ିଶାରେ ଲାଗୁ ହେବା ସମ୍ପର୍କରେ ଆପଣଙ୍କ ସରକାରଙ୍କ ନୀତି ଓ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ସ୍ପଷ୍ଟ କରିବେ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଗତ ୨ଦିନ ଧରି ଆମେ ବିଧାନସଭାରେ ଦାବି କରିବା ସତ୍ତ୍ୱେ ଆପଣ ଏ ସମ୍ପର୍କରେ ନୀରବ ରହିଛନ୍ତି। ରାଜ୍ୟ ଲୋକସଂଖ୍ୟାର ଏସ୍‌ସି, ଏସ୍‌ଟି ଏବଂ ଓବିସି ସଂଖ୍ୟା ୯୪ %। କିନ୍ତୁ ଏହି ବର୍ଗର ଛାତ୍ରୀଛାତ୍ର ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହିବେ ।
ଚଳିତ ଶିକ୍ଷାବର୍ଷର ଏମ୍‌ବିବିଏସ୍‌ ନାମଲେଖା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଏସ୍‌ସି ଓ ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ମିଳୁଛି ମାତ୍ର ୨୦% ସଂରକ୍ଷଣ। ଏହି ବର୍ଗର ପିଲାମାନେ ୨୫୫ ଏମ୍‌ବିବିଏସ୍‌ ସିଟ୍‌ ହରାଉଛନ୍ତି। ଠିକ୍‌ ସେହିଭଳି ପଛୁଆବର୍ଗ (ଓବିସି/ଏସ୍‌ଇବିସି) ଛାତ୍ରୀଛାତ୍ରମାନଙ୍କ ପାଇଁ ଆଦୌ ସଂରକ୍ଷଣ ନାହିଁ। ସେମାନେ ଚଳିତ ବର୍ଷ ପ୍ରାୟ ୪୦୦ ସିଟ୍‌ ହରାଇବେ ।
(୨୭% ସଂରକ୍ଷଣ ସବୁ ରାଜ୍ୟରେ ଦିଆଯାଉଛି)। ଓବିସି/ଏସ୍‌ଇବିସି ବର୍ଗର ଛାତ୍ରୀଛାତ୍ର ୨୦୦୬ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭ ହଜାର ପିଲା ଏବଂ ଏସ୍‌ସି, /
ଏସ୍‌ଟି ବର୍ଗର ପ୍ରାୟ ୫ ହଜାର ପିଲା ଡାକ୍ତର ହେବାରୁ ବଞ୍ଚିତ ହୋଇଛନ୍ତି। ତୁରନ୍ତ ଏ ସମ୍ପର୍କରେ ବିଧାନସଭାକୁ ବିଶ୍ୱାସକୁ ନେଇ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କାଡାମ କହିଛନ୍ତି।

Share