ଭୁବନେଶ୍ୱର,୮।୯(ବ୍ୟୁରୋ): କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ଆଦୌ ଉଚିତ୍ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କିମ୍ବା ରୋଲ୍ ମଡେଲ ମହିଳା ହିଂସାରେ ଲିପ୍ତ ରହିବା ଘଟଣା ସାମ୍ନାକୁ ଆସିବ ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଏହାକୁ ପ୍ରତିବାଦ କରିବା ଆମର ପ୍ରାଥମିକ ଦାୟିତ୍ୱ ବୋଲି ଭାଜପା ପକ୍ଷରୁ ଯୁକ୍ତି ରଖାଯାଇଛି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନରେ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, ଲୋକପ୍ରତିନିଧି କିମ୍ବା ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଏଭଳି ଘଟଣାରେ ସମ୍ପୃକ୍ତ ରହିଲେ ଏହାର ଦୃଢ ବିରୋଧ କରାଯିବ। ମହିଳା ବିରୋଧୀ ଏବଂ ଅତ୍ୟାଚାରୀମାନେ କେବେହେଲେ ଏମ୍ପି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ଅନୁଚିତ୍। ଯଦି ସେମାନେ ମହିଳା ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବାର ଅଭିଯୋଗ ଆସେ, ତେବେ ସେ ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦେବା ଉଚିତ। ନ ହେଲେ ସମାଜକୁ ଏକ ଭୁଲ୍ ବାର୍ତ୍ତା ଯିବ ସ୍ମୃତି କହିଛନ୍ତି।
ଏମ୍ପି ଅନୁଭବ ମହାନ୍ତି ନିଜ ସ୍ତ୍ରୀଙ୍କୁ ଅତ୍ୟାଚାର ଦେବାରେ ସୀମା ଉଲ୍ଲଂଘନ କରିଛନ୍ତି। ଶାସକ ବିଜେଡି ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଓ ହିଂସା ଘଟଣା ଘଟିଚାଲିବା ରାଜ୍ୟରେ ମହିଳା ସୁରକ୍ଷାକୁ ଦର୍ଶାଉଛି। ଏମ୍ପିଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ ନଚେତ୍ ଏହା ବିରୋଧରେ ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ।