ଭୁବନେଶ୍ୱର,୮।୯(ବ୍ୟୁରୋ): ବିଭିନ୍ନ ସମୟରେ ଏମ୍ପି ଅନୁଭବ ମହାନ୍ତି କାହାକୁ ନା କାହାକୁ ଦୁର୍ବ୍ୟବହାର କରିଛନ୍ତି। କେତେବେଳେ ମହିଳାଙ୍କୁ ପୁଣି କେତେବେଳେ ରାଜନୈତିକ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା କେନ୍ଦ୍ରାପଡ଼ା ଏମ୍ପିଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ନେତା ନିଶିକାନ୍ତ ମିଶ୍ର କହିଛନ୍ତି, କେବଳ ସେତିକି ନୁହେଁ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଜାଲିଆତି ଅଭିଯୋଗ ଆସିବା ପରେ ସେ ନିଜେ ଏହାକୁ ପରୋକ୍ଷରେ ସ୍ବୀକାର କରିଥିଲେ। କିନ୍ତୁ ଏବେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହା ରାଜ୍ୟବାସୀଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଛି। ଗତ ଫେବୃୟାରୀ ୩ରେ କଂଗ୍ରେସ ଏକ ଖବରଦାତା ସମ୍ମିଳନୀରେ ନିର୍ବାଚନ ବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ଏମ୍ପିଙ୍କ ଶିକ୍ଷାଗତ୍ୟ ଯୋଗ୍ୟତା ସମ୍ପର୍କରେ ଯେଉଁ ତଥ୍ୟ ଦେଇଥିଲେ ତାହା ଜାଲ୍ ବୋଲି କହିଥିଲା। ସୂଚନା ଅଧିକାର ବଳରେ ଆସିଥିବା ତଥ୍ୟ ଆଧାରରେ ଏମ୍ପି ବର୍ତ୍ତମାନ କନ୍ଦରପୁର କଲେଜର +୩ ବର୍ଷର ଛାତ୍ର ବୋଲି କୁହାଯାଇଥିଲା। କିନ୍ତୁ ଏବେ ଏମ୍ପିଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ଖ୍ରୀଷ୍ଟ ମହାବିଦ୍ୟାଳୟଠାରୁ ମିଳିଥିବା ତଥ୍ୟ ଆଧାରରେ ୨୦୦୦ରେ ଅନୁଭବ ମହାନ୍ତି +୨ ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ତ୍ରୀଙ୍କ ସଙ୍ଗିନ ଅଭିଯୋଗ ଆସିବାପରେ କଂଗ୍ରେସ ସିଧାସଳଖ ବିଜେଡି ଏବଂ ଅନୁଭବଙ୍କୁ ଟାର୍ଗେଟ କରି କହିଛି ଯେ, ଶାସକ ଦଳର ‘ମା’କୁ ସମ୍ମାନ’ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛି। ତେଣୁ ବିଜେଡି ଅନୁଭବଙ୍କ ବିରୋଧରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ନିଶିକାନ୍ତ ଦାବି କରିଛନ୍ତି।