କୃଷକ ସଙ୍ଗଠନ ଆନ୍ଦୋଳନରେ ସାମିଲ ହେବ କଂଗ୍ରେସ

ଭୁବନେଶ୍ୱର,୨୪।୯(ବ୍ୟୁରୋ):ପାର୍ଲାମେଣ୍ଟରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ବିଧେୟକକୁ ନେଇ ସାରା ଭାରତରେ କୃଷକମାନଙ୍କ ପ୍ରତିବାଦ ଓ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷକ ଓ ଭାଗଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି। ତଦନୁଯାୟୀ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସବୁ ଜିଲା ନେତୃବୃନ୍ଦଙ୍କୁ ସୂଚାରୁରୂପେ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିବେଦନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ମଧ୍ୟରେ ଗୁରୁବାର ରାଜ୍ୟ ସଭା ଏମ୍‌ପି ଦିଗ୍‌ବିଜୟ ସିଂହ ଓଡିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀ କରିବେ। ସେପ୍ଟେମ୍ବର ୨୫ରେ ଅଖିଳ ଭାରତ କୃଷକ ସଙ୍ଗଠନ ଡାକରାକୁ କଂଗ୍ରେସ ସମର୍ଥନ କରିବ। ସେହିପରି ୨୬ରେ ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନଙ୍କ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁଥିରେ କୃଷକମାନେ ନିଜର ମତପୋଷଣ କରିବା ସହ କଂଗ୍ରେସ ନେତୃବୃନ୍ଦ ଏଥିରେ ବହୁଳ ପରିମାଣରେ ଅଂଶଗ୍ରହଣ କରିବେ। ୨୮ରେ ଓପିସିସିର ବରିଷ୍ଠ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ସହ ଆଲୋଚନା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପିସିସି ପକ୍ଷରୁ କିଷାନ ମଜଦୁର ବଞ୍ଚାଓ ଦିବସ ସମସ୍ତ ଜିଲା ମୁଖ୍ୟାଳୟ ଓ ବିଧାନସଭା କ୍ଷେତ୍ରରେ ପାଳନ କରାଯିବ। ୧୦ ତାରିଖରେ ଓଡ଼ିଶାର ଯେ କୌଣସି ଗୋଟିଏ ସ୍ଥାନରେ ରାଜ୍ୟସ୍ତରୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଏବଂ କୃଷକମାନେ ଯୋଗଦେବେ। ୨ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ବୁଥ୍‌, ଗ୍ରାମପଞ୍ଚାୟତଠୁ ଆରମ୍ଭ କରି ଏନ୍‌ଏସି, ମ୍ୟୁନିସିପାଲଟି, ମହାନଗର ନିଗମ ଓ ସର୍ବୋପରି ଜିଲାସ୍ତରରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ କର୍ମୀମାନେ ସଫଳ କରିବା ପାଇଁ ପିସିସି ସଭାପତି ଅନୁରୋଧ କରିଛନ୍ତି।

Share