ଚାଷୀଙ୍କୁ ଆବଶ୍ୟକ ସାର ଦେବାକୁ କଂଗ୍ରେସର ଦାବି

ଭୁବନେଶ୍ୱର,୨୫।୮(ବ୍ୟୁରୋ): ସାରା ରାଜ୍ୟରେ ଅନୁକୂଳ ପାଣିପାଗ ଥିବା ଯୋଗୁ ଚାଷ ପାଇଁ ୟୁରିଆସାରର ଯଥେଷ୍ଟ ଚାହିଦା ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ ୟୁରିଆ ଯୋଗାଣ କ୍ଷେତ୍ରରେ ବିଳମ୍ବ ଯୋଗୁ ଚଳିତ ଖରିଫ୍‌ ଚାଷ ବାଧାପ୍ରାପ୍ତ ହେଉଛିି। ଚାଷୀମାନେ ସାର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରିଫ୍‌ ଚାଷ ପାଇଁ ରାଜ୍ୟରେ ୪ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ୍‌ ସାର ଚାଷୀଙ୍କୁ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଗଷ୍ଟ ସୁଦ୍ଧା ୩ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ୍‌ ଦିଆଯିବା କଥା। କିନ୍ତୁ ରବିବାର ସୁଦ୍ଧା ପ୍ରାୟ ୨ ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଯୋଗାଇ ଦିଆଯାଇଥିବା ବେଳେ ଆଉ ଦେଢ ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ସରକାର ଚାଷୀଙ୍କୁ ଯୋଗାଇ ଦେଇପାରି ନାହାନ୍ତି। ଫଳରେ ଅନେକ ସ୍ଥାନରେ ସାର କଳାବଜାର ହେବା ସହ ଚାଷୀ ଚଢା ଦରରେ ୟୁରିଆ ବସ୍ତା ପିଛା ୨ଶହରୁ ୩୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି କୃଷି ବିଭାଗର ନିଘା ନାହିଁ। ଏଥିରେ ଉଭୟ ସରକାର ଚାଷୀଙ୍କ ଆୟ କିପରି ୨ଗୁଣା ବଢାଇବେ ବୋଲି ସୋମବାର ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପିସିସି କିଷାନ ସେଲ୍‌ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଅଧିକ ଫସଲ ଅମଳ ପାଇଁ ସାର ମୁଖ୍ୟ ଉପାଦାନ। ହେକ୍ଟର ପିଛା ୮୧ କେଜି ସାର ପ୍ରୟୋଗ କରାଯିବା ସହ ଚଳିତ ଖରିଫ୍‌ ଚାଷ ପାଇଁ ସରକାର ୯ ଲକ୍ଷ ୬୦ ହଜାର ମେଟ୍ରିକ୍‌ ଟନ୍‌ ସାର ଚାଷୀଙ୍କୁ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୬୦ ପ୍ରତିଶତ ସାର ମଧ୍ୟ ସରକାର ଯୋଗାଇ ପାରିନାହାନ୍ତି। ଏପରିକି ସାର କଳାବଜାର ରୋକିବା, ପରିବହନ, ପ୍ୟାକିଂ, ଗୋଦାମ ଘର ପ୍ରଭୃତିର କୌଣସି ଭିତ୍ତିଭୂମି ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଣ ଓ ସୁଦୃଢ ରେଲୱେ ର଼୍ୟାକ୍‌ ବ୍ୟବସ୍ଥା କରିବା ସହ ରାଜ୍ୟ ସରକାର ଚାଷୀଙ୍କୁ ଆବଶ୍ୟକ ପରିମାଣର ୟୁରିଆ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି।

Share