ଭୁବନେଶ୍ୱର, ୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ମୁକାବିଲା ପାଇଁ ୱାରରୁମ୍ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ବିଭାଗ ପାଖରେ ପୂର୍ବରୁ ବାତ୍ୟା ମୁକାବିଲାର ଅନୁଭୂତି ରହିଛି। କମ୍ ସମୟରେ ମଧ୍ୟରେ ବିଦ୍ୟୁତ୍ ସଂଯୋଗ କରିବାରେ ବିଭାଗ ପୂର୍ବରୁ ସଫଳ ହୋଇଛି। ଏବେ ବି ବିଭାଗ ପ୍ରସ୍ତୁତ ରହିଛି। ବାତ୍ୟା ମୁକାବିଲା ନେଇ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।
ସେହିପରି ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଓପିଟିସିଏଲ୍ ସହ ଅନ୍ୟ ଡିଷ୍ଟ୍ରିବ୍ୟୁଶନ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ବାତ୍ୟାର ମନିଟରିଂ କାମ ଆରମ୍ଭ ହୋଇଯାଇଛି। ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍ ସରଞ୍ଜାମ ଗଚ୍ଛିତ ଅଛି। କର୍ମଚାରୀଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ବିଦ୍ୟୁ ସଂଯୋଗ ଦିଆଯାଇଥିଲା। ଚଳିତ ଥର ଯଦି ସେପରି ସ୍ଥିତି ଆସେ ଅଧିକ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି।
ଏତଦ ବ୍ୟତୀତ ହସ୍ପିଟାଲଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ୟୁନିଟ୍ରୁ କିପରି ଶକ୍ତି ସଂଯୋଗ ନ କଟିବ ସେନେଇ ବ୍ୟବସ୍ଥା ହୋଇଛି। ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଥିବା ସଚିବ କହିଛନ୍ତି।