କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୯ା୪: ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୋଲିସକୁ ନିର୍ଘାତ ପ୍ରହାର କରିବାରୁ ମୁଣ୍ଡ ଫାଟି ଚେତା ଶୂନ୍ୟ ହୋଇଛନ୍ତି କନଷ୍ଟେବଳ ବାବୁ। କାଠ ଫାଳିଆରେ ମାରଣାନ୍ତକ ଆକ୍ରମଣ ଯୋଗୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାର୍ଥା ଫାଣ୍ତି କନଷ୍ଟେବଳ ଅଜୟ ସିଂ,
ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାନୁଯାୟୀ, ଏହି ଗ୍ରାମର ବୈର ଦଳେଇଙ୍କର କୌଣସି କଥାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ବୈର ତାଙ୍କ ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ନିସ୍ତୁକ ପିଟିବା ପରେ ସେ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ସାର୍ଥା ଫାଣ୍ତିକୁ ଦୌଡ଼ି ଆସି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣା ବିଷୟରେ ଜାଣିବା ପାଇଁ ବୈରଙ୍କ ଘରକୁ ଯାଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଆପୋଷ ସମାଧାନ କରିବା ପାଇଁ କଥାବାର୍ତ୍ତା ହେଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ବୈର ପୋଲିସକୁ ଆକ୍ରମଣ କରିବା ସହ ଏକ କାଠ ଫାଳିଆରେ କନଷ୍ଟେବଳ ଅଜୟ ସିଂ ମୁଣ୍ତରେ ଜୋର ପ୍ରହାର କରିଥିଲେ। ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇଯିବା ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି।