ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ୪୨ତମ ସମ୍ବିଧାନ ସଂଶୋଧନ କରାଇ ପ୍ରସ୍ତାବନାରେ ଉପରୋକ୍ତ ଶବ୍ଦ ଯୋଡ଼ିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀ ଏବଂ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଥିଲେ। ଏହା ପୂର୍ବରୁ ୨୦୨୦ରେ ବଳରାମ ସିଂ ନାମକ ବ୍ୟକ୍ତି ଆଇନଜୀବୀ ବିଷ୍ଣୁଶଙ୍କର ଜୈନଙ୍କ ଜରିଆରେ ଆବେଦନ କରିଥିଲେ। ଗତ ୨୨ ତାରିଖରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ପିଟିଶନଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
ରିଟ୍ ପିଟିଶନଗୁଡ଼ିକ ଉପରେ ଅଧିକ ବିଚାର ବିମର୍ଶ ଏବଂ ନ୍ୟାୟିକ ନିର୍ଣ୍ଣୟ ନେବା ଆବଶ୍ୟକ ନାହିଁ। ସମ୍ବିଧାନ ସଂଶୋଧନ ସମେତ ଏହାର ପ୍ରସ୍ତାବନାରେ ସଂଶୋଧନ କ୍ଷମତା ପାର୍ଲାମେଣ୍ଟର ରହିଛି ବୋଲି ସିଜେଆଇ ତାଙ୍କ ରାୟରେ କହିଛନ୍ତି। ସମ୍ବିଧାନ ଗୃହୀତ ହେବା ତାରିଖ ଅନୁଚ୍ଛେଦ ୩୬୮ ଅଧୀନରେ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବ ନାହିଁ ଏବଂ ଏହାକୁ ଚ୍ୟାଲେଞ୍ଜ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ବହୁବର୍ଷ ଅତିବାହିତ ହେବା ପରେ ଏହି ପ୍ରସଙ୍ଗ କାହିଁକି ଉଠୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ପୂର୍ବରୁ ୧୯୭୬ର ସମ୍ବିଧାନ ସଂଶୋଧନର ନ୍ୟାୟିକ ସମୀକ୍ଷା କରାଯାଇଥିଲା। ଜରୁରୀ ପରିସ୍ଥିତି ସମୟରେ ଯାହା କିଛି ପାର୍ଲାମେଣ୍ଟ କରିଥିଲା ସେଗୁଡ଼ିକୁ ଅବୈଧ କୁହାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଦେଶରେ ଏମର୍ଜେନ୍ସି ଜାରି କରିଥିଲେ। ଏହି ସମୟରେ ୧୯୭୬ରେ ସମ୍ବିଧାନ ସଂଶୋଧନ କରାଯାଇ ପ୍ରସ୍ତାବନାରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ାଯାଇଥିଲା। ଏହି ସଂଶୋଧନ ଫଳରେ ପ୍ରସ୍ତାବନାରେ ଭାରତର ସଂଜ୍ଞା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରୁ ‘ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’ ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀମାନେ ମାମଲାକୁ ବୃହତ୍ତର ପୀଠକୁ ପଠାଇବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଭାରତୀୟ ଅର୍ଥରେ ସମାଜବାଦ ଅର୍ଥ ଏକ କଲ୍ୟାଣକାରୀ ରାଷ୍ଟ୍ର ବୁଝାଯାଏ ବୋଲି ଖଣ୍ଡପୀଠ କହିଥିଲେ। ପିଟିଶନର ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଆବେଦନରେ କହିଥିଲେ, ସେ ସମାଜବାଦ ଏବଂ ଧର୍ମନିରପେକ୍ଷ ଚିନ୍ତାଧାରା ବିରୋଧୀ ନୁହନ୍ତି। ତେବେ ପ୍ରସ୍ତାବନାରେ ଏହି ଶବ୍ଦ ଯୋଡ଼ାଯିବାକୁ ସେ ବିରୋଧ କରନ୍ତି। ଏପରିିକି ଜନତା ପାର୍ଟି ନେତୃତ୍ୱରେ ଗଢ଼ାଯାଇଥିବା ପରବର୍ତ୍ତୀ ସରକାର ମଧ୍ୟ ପ୍ରସ୍ତାବନାରେ ଶବ୍ଦ ସଂଯୋଗକୁ ସମର୍ଥନ କରିଥିଲେ। ତେବେ ୧୯୪୯ରେ ସମାଜବାଦ ଓ ଧର୍ମନିରପେକ୍ଷ ଗୃହୀତ ବଦଳରେ ଏହାକୁ ପ୍ରସ୍ତାବନାର ଅଲଗା ପାରାଗ୍ରାଫ ଭାବେ ରଖିବା ଉଚିତ କି ବୋଲି ସୁବ୍ରମଣ୍ୟମ ସ୍ବାମୀ ତାଙ୍କ ପିଟିଶନ୍ରେ ପ୍ରଶ୍ନ କରିଥିଲେ।