ଠିକାଦାରଙ୍କୁ ଗୁଳିକରି ହତ୍ୟା

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୯ା୬(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଚଣ୍ଡେଶ୍ବର ଛକରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ(୪୮)। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପ୍ରକାଶ ଯେ, ଗତକାଲି ରାତିରେ ଚଣ୍ଡେଶ୍ବର ଛକରେ ଥିବା ଏକ ଢାବାରୁ ରମେଶ ଖାଇସାରି ମୋଟରସାଇକେଲରେ ଘରକୁ ଫେରୁଥିଲେ। ତାଙ୍କ ସାଥିରେ ମୁଣ୍ଡାଳ ଗ୍ରାମର ଦିଲ୍ଲୀପ ସୁରଜିତ ଓ ସେହି ଗ୍ରାମର ଗଙ୍ଗାଧର ସୁବୁଦ୍ଧି ଥିଲେ। ସେମାନେ ଚଣ୍ଡେଶ୍ବରରୁ ସାତଶଙ୍ଖ ଦେଇ ଘରକୁ ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍‌ରେ ତାଙ୍କୁ ପିଛା କରୁଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ରମେଶଙ୍କୁ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସାଥିରେ ଥିବା ଦୁଇ ବନ୍ଧୁଙ୍କୁ ପଚରାଉଚରା କରୁଛି। ଘଟଣାର ତଦନ୍ତ ଜାରି ରହିଥିବା ଟାଙ୍ଗୀ ଥାନାଧିକାରୀ ଦିଗ୍‌ବିଜୟ ବିଶ୍ବାଳ ସୂଚନା ଦେଇଛନ୍ତି।

Share