ପାରାମାନଙ୍କ ଅବଦାନ

ମାନେକା ଗାନ୍ଧୀ

ପାରାମାନଙ୍କୁ ମୁଁ ଭାରି ଭଲ ପାଏ। ସେମାନଙ୍କ ସ୍ବର ନରମ ଓ ଛନ୍ଦଯୁକ୍ତ। ମୁଁ ସମ୍ମୁଖ ବାରଣ୍ଡାରେ ସେମାନଙ୍କ ପାଇଁ ଗୁଡ଼ିଏ ବାସ୍କେଟ୍‌ ରଖିଛି ଏବଂ ସେମାନେ ସେଠାରେ ଚୁପଚାପ୍‌ ରୁହନ୍ତି। ସେମାନେ ଖାଦ୍ୟ ମାଗନ୍ତି ନାହିଁ- ବୋଧହୁଏ ଦୟାଳୁ ବ୍ୟକ୍ତିମାନେ ଆଖପାଖରୁ ବା ଦୂରରୁ ଆସି ମୋ ଘର ପାଖରେ ପ୍ରତିଦିନ ସେମାନଙ୍କ ପାଇଁ ପକାଉଥିବା ଖାଦ୍ୟ ଖାଇ ତାଙ୍କ ପେଟ ପୂରିଯାଇଥାଏ। ମୋର ବି ପକ୍ଷୀମାନଙ୍କ ପାଇଁ ଚାଉଳ ଓ ଫଳ ରଖାଯାଇଥିବା ଏକ ଟେବୁଲ୍‌ ଅଛି। ସେମାନେ ଯେତେବେଳେ ଚାହିଁବେ ସେଠାରେ ଖାଇ ପାରିବେ।
ମୁମ୍ବାଇ ପୌର କମିଶନର ବୋଧହୁଏ ତାଙ୍କର ସଂକ୍ଷିପ୍ତ କାର୍ଯ୍ୟକାଳ ଭିତରେ ମୁମ୍ବାଇକୁ ପାରାମୁକ୍ତ କରିବା ପାଇଁ ବଦ୍ଧପରିକର ହୋଇଛନ୍ତି। ଯେଉଁମାନେ ପାରାମାନଙ୍କୁ ଘୃଣା କରନ୍ତି ସେମାନେ ଜାଣିବା ଉଚିତ ଯେ ସେମାନେ ଆମ ମଣିଷମାନଙ୍କ ପାଇଁ ବର୍ଷ ବର୍ଷ ଧରି କ’ଣ କରିଛନ୍ତି। ମଣିଷ ସମାଜ ପ୍ରତି ସେମାନଙ୍କ ଅବଦାନ କ’ଣ।
ପାରାଙ୍କୁ ନେଇ ପ୍ରଥମ ଏୟାରମେଲ୍‌ ୧୮୯୬ ମସିହାରେ ନ୍ୟୁଜିଲାଣ୍ଡରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ପିଜନ୍‌-ଗ୍ରାମ୍‌ ସେବା ଭାବରେ ଜଣାଶୁଣା। ସେମାନଙ୍କର ବେଗ ହାରାହାରି ୭୭.୬ ମାଇଲ/ଘଣ୍ଟା, ଏକ ଆଧୁନିକ ବିମାନ ଅପେକ୍ଷା ୪୦% ଧୀର। ପ୍ରତ୍ୟେକ ପାରା ୫ଟି ବାର୍ତ୍ତା ବହନ କରିଥାନ୍ତି ଏବଂ ଏଥିପାଇଁ ସ୍ବତନ୍ତ୍ର ପିଜନ୍‌-ଗ୍ରାମ୍‌ ଷ୍ଟାମ୍ପ ବିକ୍ରି କରାଯାଇଥାଏ।
ପ୍ରଥମ ବିଶ୍ୱଯୁଦ୍ଧରେ ବାର୍ତ୍ତା ପ୍ରେରଣ ପାଇଁ ପାରାଙ୍କୁ ବହୁଳ ଭାବରେ ବ୍ୟବହାର କରାଯାଉଥିଲା। ମାଇନ୍‌ସୁଇପିଂ ବୋଟ୍‌ (ମାଇନ୍‌ ବା ବିସ୍ଫୋରକ ଠାବ କରି ନଷ୍ଟ କରୁଥିବା ନୌବାହିନୀ ବୋଟ୍‌)ଗୁଡ଼ିକ ପାରାମାନଙ୍କୁ ସାଙ୍ଗରେ ନେଇଥାନ୍ତି। ଯଦି କୌଣସି ୟୁ-ବୋଟ୍‌ ଦ୍ୱାରା ସେମାନେ ଆକ୍ରମଣର ଶିକାର ହୁଅନ୍ତି, ତେବେ କେଉଁ ସ୍ଥାନରେ ଆକ୍ରମଣର ଶିକାର ହୋଇ ବୋଟ୍‌ଟି ବୁଡ଼ିଯିବାକୁ ବସିଛି ସେ ସମ୍ପର୍କରେ ଏକ ବାର୍ତ୍ତା ସହିତ ଗୋଟିଏ ପାରାକୁ ମୁକ୍ତ କରିଦିଅନ୍ତି, ଯାହା ଫଳରେ ବୋଟ୍‌ର କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଦଳ ଆସି ବଞ୍ଚାଇବାର ସମ୍ଭାବନା ଥାଏ। ଶତ୍ରୁମାନଙ୍କ ଗତିବିଧି ବିଷୟରେ ଜରୁରୀ ସୂଚନା ପ୍ରଦାନ କରିବାକୁ ନୌବିମାନ (ସିପ୍ଲେନ୍‌)ଗୁଡ଼ିକ ସାଙ୍ଗରେ ପାରା ନେଉଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୟୁରୋପ, ଭାରତ ଓ ବର୍ମାରେ ସକ୍ରିୟ ସେବାରେ ପାରାଙ୍କୁ ବ୍ୟବହାର କରାଯାଉଥିଲା।
ଦୁନିଆର ଶେଷ ପାରା ମେସେଜିଂ ସେବା ଓଡ଼ିଶାରେ ଥିଲା, ଯାହାକୁ ଓଡ଼ିଶା ପୋଲିସ୍‌ କ୍ୟାରିୟର୍‌ ପିଜନ୍‌ ସେବା କୁହାଯାଉଥିଲା ଏବଂ ୮୦୦ ପକ୍ଷୀଙ୍କ ଦ୍ୱାରା ୬୦ ବର୍ଷର ସକ୍ରିୟ ସେବା ପରେ ୨୦୦୬ରେ ଏହାକୁ ବନ୍ଦ କରିଦିଆଗଲା। କ୍ୟାରିୟର ପାରାମାନେ ସାରା ରାଜ୍ୟରେ ଓଡ଼ିଶାର ୪୦୦ ପୋଲିସ ଷ୍ଟେଶନ ମଧ୍ୟରେ ଦୈନିକ ଯୋଗାଯୋଗ ରଖିବାରେ ସାହାଯ୍ୟ କରୁଥିଲେ। ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନେ ଅତ୍ୟାବଶ୍ୟକ ବାର୍ତ୍ତା ବହନ କରିଥିଲେ: ୧୯୭୧ର ବାତ୍ୟା ଏବଂ ୧୯୮୨ର ପ୍ରଳୟଙ୍କରୀ ବନ୍ୟା। ପାରାମାନଙ୍କର ପ୍ରତିକୂଳ ପାଗରେ ଉଡ଼ିବାର କ୍ଷମତା ଯୋଗୁ ଅନେକ ମାନବ ଜୀବନ ରକ୍ଷା ପାଇଥିଲା।
ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ସାଇରସ୍‌ ଦି ଗ୍ରେଟ୍‌ଙ୍କ ଦ୍ୱାରା ଆସିରିୟା ଓ ପର୍ସିଆରେ ପାରା ବାର୍ତ୍ତାବହମାନଙ୍କର ପ୍ରଥମ ନେଟ୍‌ୱର୍କ ପ୍ରତିଷ୍ଠିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଖ୍ରୀଷ୍ଟପୂର୍ବ ୨୦୦୦ରେ ସେମାନେ ମେସୋପଟାମିଆର ଯୁଦ୍ଧରତ ଗୋଷ୍ଠୀଗୁଡ଼ିକ ପାଇଁ ବାର୍ତ୍ତା ପରିବହନ କରୁଥିଲେ। ଖ୍ରୀଷ୍ଟପୂର୍ବ ୫୩ରେ ସେମାନେ ହାନିବାଲଙ୍କ ବାର୍ତ୍ତା ବହନ କରିଥିଲେ। ଖ୍ରୀଷ୍ଟପୂର୍ବ ୫୮ରୁ ୫୧ ପର୍ଯ୍ୟନ୍ତ ଗଲ୍‌ ଜିତିବା ସମୟରେ ଜୁଲିୟସ୍‌ ସିଜର ପାରାଙ୍କୁ ବ୍ୟବହାର କରିଥିଲେ। ଚାଇନା ଯାତ୍ରା ସମୟରେ ଭାରତୀୟ ଏବଂ ଆରବ ବଣିକମାନେ କ୍ୟାରିୟର ପାରାମାନଙ୍କୁ ବ୍ୟବହାର କରୁଥିଲେ। ଖ୍ରୀଷ୍ଟପୂର୍ବ ୭୭୬ରେ ଅନୁଷ୍ଠିତ ପ୍ରଥମ ଅଲିମ୍ପିକ୍‌ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତ୍ୟେକ ଆଥ୍‌ଲେଟ୍‌ ତାଙ୍କ ଗାଁରୁ ଏକ ପୋଷା ପାରା ସାଙ୍ଗରେ ଆଣିଥିଲେ। ଯଦି ସେ ତାଙ୍କ ଇଭେଣ୍ଟରେ ଜିତନ୍ତି, ତେବେ ଉକ୍ତ ପାରା ସେହି ଖବରକୁ ନେଇ ତାଙ୍କ ଘରେ ପହଞ୍ଚାଇଦିଏ।
ଖ୍ରୀଷ୍ଟପୂର୍ବ ୬୩ରୁ ଖ୍ରୀଷ୍ଟାବ୍ଦ ୨୧ ମଧ୍ୟରେ ଗ୍ରୀକ୍‌ ଭୌଗୋଳିକ ଷ୍ଟ୍ରାବୋ ଉଲ୍ଲେଖ କରିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ପୋଷା ପାରା ଭୂମଧ୍ୟସାଗରୀୟ ଉପକୂଳରେ କିଛି ଦୂର ମଧ୍ୟରେ ଉଡି ବହୁ ସଂଖ୍ୟାରେ ମାଛ ଉପକୂଳକୁ ଆସିବା ଖବର ନେଇ ତଟଦେଶରେ ଅପେକ୍ଷା କରିଥିବା ମତ୍ସ୍ୟଜୀବୀଙ୍କୁ ଦେଉଥିଲେ।
ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ୧୮୪୦ ଦଶକରେ ଖବର ସରବରାହ କରିବା ପାଇଁ ପାରାଙ୍କୁ ବ୍ୟବହାର କରିଥିଲା। ଟେଲିଗ୍ରାମ୍‌ ଉଦ୍ଭାବନ ହେବା ପରେ ପଲ୍‌ ଜୁଲିୟସ୍‌ ରଏଟରଙ୍କ ପାରାଗୁଡ଼ିକର ସେବା ବନ୍ଦ ହୋଇଗଲା। ୧୮୭୦ ମସିହାରେ ଶତ୍ରୁ ସୈନ୍ୟମାନଙ୍କ ଦ୍ୱାରା ପ୍ୟାରିସ୍‌ ଅବରୋଧ ସମୟରେ ପାରାମାନେ ସମଗ୍ର ଫ୍ରାନ୍ସରେ ବାର୍ତ୍ତା ସରବରାହ କରିଥିଲେ।
୧୯୧୫ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭରେ, ୱେଷ୍ଟର୍ନ ଫ୍ରଣ୍ଟରେ ଦୁଇଟି ପିଜନ କର୍ପସ୍‌ ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ ୪ଟି ପାରା ଓ ଜଣେ ହ୍ୟାଣ୍ଡଲର୍‌ ନିଯୁକ୍ତ ଥିବା ୧୫ଟି ପାରା ଷ୍ଟେଶନ୍‌ ରହିଥିଲା। ପିଜନ୍‌ କର୍ପସ୍‌ ଏତେ ସଫଳ ହୋଇଥିଲା ଯେ, ପରେ ଅଧିକ ପକ୍ଷୀଙ୍କୁ ନିଯୁକ୍ତ କରାଯାଇଥିଲା ଏବଂ ଉକ୍ତ ସେବା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ଯୁଦ୍ଧ ଶେଷ ସୁଦ୍ଧା ୧୫୦ ମୋବାଇଲ୍‌ ଲଫ୍ଟରେ ୪୦୦ କର୍ମଚାରୀ ଓ ୨୨,୦୦୦ ପାରା ରହିଥିଲେ।
ଚିଠିଗୁଡିକ ଏକ ଛୋଟ ଧାତବ ଖୋଳରେ ରଖି ପାରାର ଗୋଡରେ ବାନ୍ଧି ଦିଆଯାଏ। ତା’ ପରେ ପକ୍ଷୀଟିକୁ ମୁକ୍ତ କରିଦିଆଯାଏ ଏବଂ ଏହା ନିଜ ଲଫ୍ଟକୁ ଫେରି ଆସି ଏକ ଶବ୍ଦ କରି ପହଞ୍ଚିଥିବାର ସୂଚନା ଦିଏ। ଇଂଲଣ୍ଡ ଉପକୂଳରେ ଥିବା ପ୍ରତ୍ୟେକ ଏୟାରଫିଲ୍ଡର ନିଜସ୍ବ ଲଫ୍ଟ ଥିଲା ଯାହାଦ୍ୱାରା ଶତ୍ରୁ ଆକ୍ରମଣ ବା ଅନୁପ୍ରବେଶ ସମୟରେ ପାରାଙ୍କ ଦ୍ୱାରା ବାର୍ତ୍ତା ପଠାଯାଇପାରିବ। ବୋମାବର୍ଷୀ ବିମାନର କର୍ମଚାରୀମାନେ ସାଧାରଣତଃ ଯୋଡ଼ିଏ ପାରା ସାଙ୍ଗରେ ରଖୁଥିଲେ। ଯଦି ଶତ୍ରୁ ଗୁଳିରେ ବିମାନଟି ତଳକୁ ଖସିପଡ଼େ, ତେବେ ସଙ୍ଗେ ସଙ୍ଗେ ପକ୍ଷୀ ବେକରେ ଦୁର୍ଘଟଣା ସ୍ଥଳର ବିବରଣୀ ସହିତ ଏକ ଚିଠି ବାନ୍ଧି ମୁକ୍ତ କରିଦିଆଯାଏ। ପ୍ରଥମ ବିଶ୍ୱଯୁଦ୍ଧରେ ଗୋଇନ୍ଦା ସେବାରେ ଏହି ପକ୍ଷୀଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୪୦ରେ ୟୁରୋପର ଶତ୍ରୁ-ଅଧିକୃତ ଅଞ୍ଚଳରେ ୩୦୦ କ୍ରେଟ୍‌ ପାରା ପକାଯାଇଥିଲା। ପ୍ରତ୍ୟେକ ପକ୍ଷୀକୁ ୧୦ ଦିନର ଖାଦ୍ୟ ସହିତ ଏକ ବାକ୍ସରେ ପ୍ୟାକ୍‌ କରାଯାଇଥିଲା। ବାକ୍ସରେ ନିର୍ଦ୍ଦେଶନାମା ଏବଂ ପ୍ରଶ୍ନାବଳୀ ରଖାଯାଇଥିଲା। ଉଦ୍ଦେଶ୍ୟ ଥିଲା ଯଦି କେହି ସହଯୋଗୀ ବାକ୍ସଟି ପାଆନ୍ତି, ତେବେ ସେ ଶତ୍ରୁମାନଙ୍କ ଗତିବିଧି ବିଷୟରେ ସୂଚନା ସହ ପାରାଟିକୁ ଛାଡ଼ିଦେବେ। ଦ୍ୱିତୀୟ ମହାଯୁଦ୍ଧ ସମୟରେ ୧୬,୫୪୪ ପାରାଙ୍କୁ ପାରାଶୁଟ ମାଧ୍ୟମରେ ଅଧିକୃତ ୟୁରୋପରେ ଛଡ଼ା ଯାଇଥିଲା। ସେଥିମଧ୍ୟରୁ କେବଳ ୧,୮୪୨ ଫେରି ଆସିଥିଲେ।
୧,୦୦,୦୦୦ରୁ ଅଧିକ ବ୍ରିଟିଶ ପାରା ସାମରିକ ସେବାରେ ପ୍ରାଣ ହରାଇଥିଲେ। ରେଡ୍‌ କକ୍‌ ବୁଡ଼ି ଯାଉଥିବା ଜାହାଜର ଗ୍ରୀଡ୍‌ ରେଫରେନ୍ସ ନେଇ ଉଡ଼ିଯାଇଥିଲା ଏବଂ ଜାହାଜର କର୍ମଚାରୀମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିଥିଲା। ଅକ୍ଟୋବର ୧୯୧୮ରେ, ୭୭ତମ ଇନ୍‌ଫ୍ୟାଣ୍ଟ୍ରିର ୫୦୦ ପଦାତିକ ସୈନିକ ଫ୍ରାନ୍ସର ଆର୍ଗୋନରେ ଫସିଯାଇଥିଲେ। ତାଙ୍କ ପାଖରେ ଥିଲା ନା ଖାଦ୍ୟ ନା ଅସ୍ତ୍ରଶସ୍ତ୍ର। ଏଣେ ଶତ୍ରୁ ଆଡ଼ୁ ବୋମାମାଡ଼ ଜାରି ରହିଥାଏ। ମେଜର ଚେର ଆମି ନାମକ ପାରା ସାହାଯ୍ୟରେ ଉଦ୍ଧାର ପାଇଁ ବାର୍ତ୍ତା ପଠାଇଲେ। ପକ୍ଷୀଟି ଶତ୍ରୁର ଗୁଳିମାଡ଼ରେ ଆହତ ହୋଇ ତଳେ ପଡ଼ିଯାଇଥିଲା। ତା’ ପରେ ସେ ପୁଣି ଉଡ଼ିବା ଆରମ୍ଭ କରି ୨୫ ମିନିଟରେ ୨୫ ମାଇଲ୍‌ ଅତିକ୍ରମ କରି ଡିଭିଜନ୍‌ ମୁଖ୍ୟାଳୟରେ ପହଞ୍ଚିଥିଲା। ଫଳରେ ଫସିଥିବା ଲୋକମାନେ ଉଦ୍ଧାର ପାଇଗଲେ। ଛାତିରେ ଗୁଳି ବାଜିବା, ଗୋଟିଏ ଆଖି ନଷ୍ଟ ହୋଇଯିବା ଏବଂ ଗୋଟିଏ ମାତ୍ର ସଂଯୋଜକ ଟିସୁ ଦ୍ୱାରା ଗୋଡ଼ଟି ଝୁଲୁଥିବା ଅବସ୍ଥାରେ ଚେର ଆମି ଏହି ବାର୍ତ୍ତା ପହଞ୍ଚାଇଥିଲା। ଯୁଦ୍ଧ ସମୟରେ ବିରଳ ସାହସିକତା ପାଇଁ ପ୍ରାଣୀଙ୍କୁ ଡିକିନ୍‌ ପଦକ ପ୍ରଦାନ କରାଯାଇଥାଏ। ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ୫୫ଟି ପଦକ ମଧ୍ୟରୁ ପାରାମାନେ ୩୨ଟି ପଦକ ପାଇଛନ୍ତି।
ଅନ୍ୟ ପଶୁଙ୍କ ଅପେକ୍ଷା ପାରାମାନେ ସଙ୍କଟ ସମୟରେ ମନୁଷ୍ୟର ସର୍ବୋତ୍ତମ ବନ୍ଧୁ ଅଟନ୍ତି। ସେମାନେ ଅଳ୍ପ କିଛି ଶସ୍ୟ ପାଇଁ ମଣିଷ ପାଖରେ ନିଜକୁ ଉତ୍ସର୍ଗ କରିଦିଅନ୍ତି। ସେମାନଙ୍କ ଅବଦାନ ଭୁଲିବାର ନୁହେଁ। ଆପଣଙ୍କୁ ସେମାନଙ୍କ ଋଣ ଦିନ ପରେ ଦିନ ପରିଶୋଧ କରିବାକୁ ପଡିବ।

ଇମେଲ: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri