ପୁରୀ ଅଫିସ,୩।୧୨:ଅନ୍ଲାଇନରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ବିବାଦ ଥମୁନାହିଁ। ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସୁଆର ମହାସୁଆର ନିଯୋଗ ବୁଧବାର ଆମାଜନ୍ କମ୍ପାନୀ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଶ୍ରୀମନ୍ଦିର ପ୍ରଶାସନ ବିନାନୁମତିରେ ନିର୍ମାଲ୍ୟ ବିକ୍ରି କରୁଥିବାରୁ ଆମାଜନ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିଯୋଗ ଦାବି କରିଛି। ଏ ନେଇ ନିଯୋଗ ପକ୍ଷରୁ ଏସ୍ପି ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସେହିପରି ପୁରୀ ଜିଲା ଯୁବ ଆଇନଜୀବୀ ଫୋରମ ପକ୍ଷରୁ ଜିଲା ଓକିଲ ସଂଘ ସମ୍ମୁଖରେ ବିରୋଧ ପ୍ରଦର୍ଶନ ସହ ଆମାଜନ୍ କମ୍ପାନୀକୁ ଲିଗାଲ ନୋଟିସ୍ ପଠାଯାଇଛି। ତୁରନ୍ତ ନିର୍ମାଲ୍ୟ ବିକ୍ରି ବନ୍ଦ ସହ ଉପଯୁକ୍ତ ଉତ୍ତର ନ ମିଳିଲେ କୋର୍ଟରେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଆମାଜନ ବିରୋଧରେ ଶ୍ରୀମନ୍ଦିରର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ। ସେହିପରି ଅନ୍ଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି।