୬ ମାସ ହେବ ଶୀତଳୀକରଣ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ,୯ା୪ (ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ଟ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ପାନୀୟ ଜଳ  ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ଏଭଳିସ୍ଥିତିରେ ନାଉଗାଁ ବସ୍‌ଷ୍ଟାଣ୍ଡରେ ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ୬ ମାସ ହେବ ଅଚଳ ହୋଇଯାଇଛି। ଏନେଇ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ୍‌ର ଆର୍ଥିକ ସହାୟତାରେ ଏହି ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ବସାଯାଇଥିଲା। ୨୦୨୧ରେ ୮୬ ହଜାର ୭ଶହ ଟଙ୍କା ବ୍ୟୟରେ  ଉକ୍ତ ପାନୀୟ ଜଳ ପ୍ରକଳ୍ପକୁ ତତ୍କାଳୀନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଉଦ୍‌ଘାଟନ କରିଥିଲେ। ବସ୍‌ରେ ଯିବା ଆସିବା କରୁଥିବା ଯାତ୍ରୀମାନେ ସୁବିଧାରେ ଶୀତଳ ପାନୀୟ ଜଳ ପାଇବା ଉଦ୍ଦେଶ୍ୟରେ ଉକ୍ତ ପାନୀୟ ଜଳ ପ୍ରକଳ୍ପ ବସାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପାନୀୟଜଳ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି।  ଏବେ ଏହାର  ଚତୁଃପାର୍ଶ୍ୱରେ ଆବଦ୍ଧ କରାଯାଇଥିବା ଲୁହା ଗ୍ରୀଲଗୁଡ଼ିକ କଳଙ୍କି ଲାଗିଗଲାଣି। ପ୍ରକଳ୍ପଟି ଅଚଳ ହୋଇଯାଇଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ପାନୀୟ ଜଳପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଅଧିକାଂଶ ଯାତ୍ରୀ ଦୋକାନରୁ ପାଣି ବୋତଲ କ୍ରୟ କରି ପାଣି ପିଇଥାନ୍ତି। ଗ୍ରୀଷ୍ମ ପ୍ରବାହ ବୃ୍‌ଦ୍ଧି ପାଉଥିବାରୁ ଉକ୍ତ ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାତ୍ରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ବିଷୟରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ଯଥାଶୀଘ୍ର ଉକ୍ତ ପାନୀୟ ଜଳ ପ୍ରକଳ୍ପ ମରାମତି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।