Categories: ବାଣିଜ୍ୟ

କୋର୍‌ ସେକ୍ଟର ୯.୬% ହ୍ରାସ

ନୂଆଦିଲ୍ଲୀ,୧।୯: ଦେଶର ପ୍ରମୁଖ ଶିଳ୍ପକ୍ଷେତ୍ର ବା କୋର୍‌ ସେକ୍ଟର ଅଭିବୃଦ୍ଧି ଗତ କିଛି ମାସ ହେବ ପ୍ରଭାବିତ ସ୍ଥିତିରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହୋଇ ରହିବା କାରଣରୁ କୋର୍‌ ସେକ୍ଟରର ପରଫରମାନ୍ସ ନିମ୍ନରେ ରହିଛି। ଗତ ୫ ମାସ ହେବ ଲଗାତର ଏହି କ୍ଷେତ୍ରରେ ହ୍ରାସ ଧାରା ଜାରି ରହିଛି। ଜୁଲାଇ ମାସରେ କୋର୍‌ ସେକ୍ଟର ଅଭିବୃଦ୍ଧି ୯.୬% କମିଥିବା ଜଣାପଡିଛି। ଇସ୍ପାତ, ରିଫାଇନେରି ପ୍ରଡକ୍ଟ ଏବଂ ସିମେଣ୍ଟ ଉତ୍ପାଦନ ହ୍ରାସ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୨୦୧୯ ଜୁଲାଇରେ ଦେଶର ୮ କୋର୍‌ ସେକ୍ଟରର ଉତ୍ପାଦନ ୨.୬% ବଢିଥିଲା ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଡାଟାରୁ ଏହା ସାମ୍ନାକୁ ଆସିଛି।
କେବଳ ସାରକୁ ବାଦ୍‌ ଦେଲେ ଅନ୍ୟ ୭ କ୍ଷେତ୍ର ଯଥା-କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ, ଇସ୍ପାତ, ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ଭଳି କ୍ଷେତ୍ରଗୁଡିକର ଜୁଲାଇରେ କାର୍ଯ୍ୟକଳାପ ହ୍ରାସ ଘଟିଛି। ଷ୍ଟିଲ ଉତ୍ପାଦନ ୧୬.୫% କମିଥିବା ବେଳେ ରିଫାଇନେରି ପ୍ରଡକ୍ଟ ୧୩.୯%, ସିମେଣ୍ଟ ୧୩.୫%, ପ୍ରାକୃତିକ ବାଷ୍ପ ୧୦.୨%, କୋଇଲା ୫.୭%, ଅଶୋଧିତ ତୈଳ ୪.୯% ଏବଂ ବିଦ୍ୟୁତ୍‌ ଉତ୍ପାଦନ ୨.୩% ହ୍ରାସ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଜୁଲାଇରେ ସାର ଉତ୍ପାଦନ ୬.୯% ବଢ଼ିଛି। ଏହା ୨୦୧୯ ଜୁଲାଇରେ ୧.୫% ବଢ଼ିଥିଲା। ୨୦୨୦-୨୧ର ଏପ୍ରିଲ ଜୁଲାଇ ସମୟରେ କୋର୍‌ ସେକ୍ଟର ଅଭିବୃଦ୍ଧି ୨୦.୫% କମିଛି। ଏହାର ପୂର୍ବ ବର୍ଷ ସମାନ ମାସରେ ଏହା ୩.୨% ରହିଥିଲା।

Share