Advertisement

୩୬ ଘଣ୍ଟା ପଡ଼ିରହିଲା ମୃତଦେହ

ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରି ୩୬ ଘଣ୍ଟା କାଳ ପଡ଼ିରହିଥିଲା। ଶେଷରେ ରାଜସ୍ବ ନିରୀକ୍ଷକଙ୍କ ସହାୟତାରେ ଦୁର୍ଘଟଣାସ୍ଥଳ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଧୀନରେ ଆସୁଥିବା ଜଣାପଡ଼ିବା ପରେ ଛେଣ୍ଡିପଦା ପୋଲିସ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରଛି।
ପ୍ରକାଶ ଯେ, ଅନୁଗୋଳ ଜିଲାର କୋଶଳା-ଗୋପାଳପ୍ରସାଦ ପୂର୍ତ୍ତ ବିଭାଗ ରାସ୍ତାରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଛେଣ୍ଡିପଦା ଥାନା କୁକୁରପେଟା ଗ୍ରାମର ପ୍ରଭାକର ମାଝି ଓ ଅଚ୍ୟୁତ ବେହେରା ତାଳଚେରରୁ କାମ ସାରି ଗାଁକୁ ଫେରୁଥିବା ବେଳେ ପଥରନାଳର ମଧ୍ୟସ୍ଥଳରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଉଭୟଙ୍କୁ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରଭାକରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅନୁଗୋଳ ଟାଉନ ଥାନାକୁ ଅବଗତ କରାଯାଇଥିଲା। ଟାଉନ ଥାନା ପୋଲିସ ଦୁର୍ଘଟଣାସ୍ଥଳ ଛେଣ୍ଡିପଦା ଥାନା ଅଞ୍ଚଳରେ ହୋଇଥିବା କହି ଛେଣ୍ଡିପଦା ପୋଲିସକୁ ମୃତଦେହ ବ୍ୟବଚ୍ଛେଦ ବ୍ୟବସ୍ଥା ପାଇଁ ଜଣାଇଥିଲେ। ହେଲେ ଦୁର୍ଘଟଣା ସ୍ଥାନ ଛେଣ୍ଡିପଦା ଥାନା ଅଧୀନରେ ଆସୁ ନ ଥିବା କହି ଛେଣ୍ଡିପଦା ପୋଲିସ ବ୍ୟବଚ୍ଛେଦ କରାଇବା ପାଇଁ ଯାଇ ନ ଥିଲେ। ମୃତଦେହ ବ୍ୟବଚ୍ଛେଦ ହୋଇପାରୁ ନ ଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଜିଲା ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପରେ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ଦୁର୍ଘଟଣାସ୍ଥଳ ଛେଣ୍ଡିପଦା ଥାନା ଅଞ୍ଚଳରେ ହୋଇଥିବା ଚିହ୍ନଟ କରାଯାଇଥିଲା। ଏହାପରେ ଛେଣ୍ଡିପଦା ପୋଲିସ ଦୀର୍ଘ ୩୬ ଘଣ୍ଟା ପରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ଏ ନେଇ ଛେଣ୍ଡିପଦା ଥାନାରେ ନଂ. ୪୭୭/୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଛେଣ୍ଡିପଦା ଥାନା ଆଇଆଇସି ବିଭୁଦତ୍ତ ରାଉତରାୟ କହିଛନ୍ତି, ଦୁର୍ଘଟଣାସ୍ଥଳ ଛେଣ୍ଡିପଦା, ଗୋପାଳପ୍ରସାଦ ଓ କଣିହାଁ ଥାନା ସୀମାନ୍ତବର୍ତ୍ତୀ ଏକ ଜଙ୍ଗଲିଆ ଅଞ୍ଚଳ। ତେଣୁ ଥାନା ସୀମା ଚିହ୍ନଟ ସହ ଘଟଣାର ତଦନ୍ତ ପାଇଁ ଦୀର୍ଘ ସମୟ ଲାଗିଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share