ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ

ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୁବର୍ଣ୍ଣପୁର ଜିଲା ସୋନପୁର ପୌର ପରିଷଦର ୯ ନଂ. ଓ୍ବାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ବାଇଁ ଦେଖାଇଛନ୍ତି ଏଭଳି କାରନାମା। ଫଳାଫଳ ଘୋଷଣା ପରେ ନିଜ ଓ୍ବାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

 

ପ୍ରକାଶ ଥାଉକି, କଇରୁ ବିଜେଡିର ଜଣେ ବରିଷ୍ଠ ନେତା ହୋଇଥିବାବେଳେ ପୂର୍ବରୁ ସେ ସୋନପୁର ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ତେବେ ଆଜି ସାଧାରଣ ସ୍ଥାନରେ ବନ୍ଧୁକ ଫୁଟାଇ ସେଲିବ୍ରେଶନ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଏଭଳି ସାଧାରଣ ସ୍ଥାନରେ ବ୍ୟବହାର ହୋଇଥିବା ବନ୍ଧୁକଟି କାହାର । ବନ୍ଧୁକ ଲାଇସନ୍ସ ଅଛି ନା ନାହିଁ । ସଧାରଣ ସ୍ଥାନରେ ଏଭଳି ବନ୍ଧୁକ ଫୁଟାଇବାକୁ କିଏ ଦେଲା ଅନୁମତି। ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବାବେଳେ ଜିଲା ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା। ତେବେ ଏନେଇ କଇର ସ୍ବାଇଁ ଏବଂ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Share