ଭିକ ମାଗି ଚଳୁଛନ୍ତି କାଉନସିଲର

ସୋର, ୧୦ା୧୦(ଜନ୍ମେଜୟ ମିଶ୍ର):ବାଲେଶ୍ୱର ଜିଲା ସୋର ପୌରପାଳିକା ଅଧୀନ ୭ ନମ୍ବର ୱାର୍ଡର କାଉନସିଲର ଦୁର୍ଗା ସିଂ ଭିକ ମାଗି ପରିବାର ଚଳାଇବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରସବଜନିତ କାରଣରୁ ସେ ଆଉ କାମ କରିବାକୁ ଯାଇପାରୁ ନ ଥିବାରୁ ଏଭଳି ଦୁରବସ୍ଥାରେ ଦିନ କାଟୁଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସୋମବାର ସୋର ପୌର ପ୍ରଶାସନ ତାଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛି।
ମଧ୍ୟାହ୍ନରେ ସୋର ପୋରାଧ୍ୟକ୍ଷ ମାଧବ ଧଡ଼ା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ସମେତ ଅନ୍ୟ ପାରିଷଦ ପହଞ୍ଚି କାଉନସିଲରଙ୍କ ଦୁଃଖ ବୁଝିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ସସ୍ମିତା ଦାସ, ପାରିଷଦ ରଞ୍ଜନ ଦାସ, ପୂଜା ତରେଇ ପ୍ରମୁଖ ଦୁର୍ଗାଙ୍କ ପାଖରେ ପହଞ୍ଚି ୧ ମାସର ରାଶନ ପ୍ରଦାନ କରିଥିଲେ। ଏଥିସହିତ ପୌରପାଳିକା ଅଧୀନ ମୋବାରକପୁରଠାରେ ଥିବା ଶିଶୁ ଉଦ୍ୟାନ ନିକଟରେ ଅସ୍ଥାୟୀ ଭାବେ ଏକ ଗୃହ ଯୋଗାଇ ଦିଆଯାଇଛି ବୋଲି ପୌରପାଳିକା ତରଫରୁ ସୂଚନା ଦିଆଯାଇଛି।