କଲେଜ ସମ୍ମୁଖରେ ଅଳିଆ ପକାଇବା ମହଙ୍ଗା ପଡିଲା ଆବର୍ଜନା ଭର୍ତ୍ତି ଟ୍ରାକ୍ଟର ଚାବି ଛଡାଇ ନେଲେ କାଉନସିଲର

ଗଞ୍ଜାମ,୨୦ା୯(ଡି.ଏନ.ଏ.): ଗଞ୍ଜାମ ସହର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଲେଜ ସମ୍ମୁଖରେ ଗଞ୍ଜାମ ଏନଏସିର ଏକ ଅଳିଆ ବୋଝେଇ ଟ୍ରାକ୍ଟର ଅଳିଆ ପକାଉଥିଲେ। ଏହା ଦେଖି ସ୍ଥାନୀୟ ୧୨ ନଂ ୱାର୍ଡ କାଉନସିଲର ଚନ୍ଦ୍ରଶେଖର ରେଡ୍ଡୀ ଟ୍ରାକ୍ଟର ଚାବି ଛଡ଼ାଇ ନେଇ ପ୍ରତିବାଦ କରିବା ଘଟଣା ସହରରେ ଆଲୋଚନାର ବିଷୟ ହୋଇଛି। ଖବର ପାଇ ସ୍ଥାନୀୟ ଦାମୋଦରପୁର ଗ୍ରାମର ଯୁବନେତା ଇସ୍ପିତ ବେହେରା, ହିନ ବେହେରା, ମିଟୁ ସାହୁ ପ୍ରମୁଖ ପହଞ୍ଚି ଏହାର ଘୋର ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନା ମୂଳକ ହୋଇଥିଲା। ଉକ୍ତ ସ୍ଥାନର ଅତି ନିକଟରେ ଗଞ୍ଜାମ କଲେଜ ରହିଥିବା ବେଳେ ଉକ୍ତ ରାସ୍ତାଦେଇ ପ୍ରତ୍ୟେହ ଗଞ୍ଜାମ ବ୍ଲକର କରପଡ଼ା, ରାଜପୁର ପଞ୍ଚାୟତ ସମେତ ଛତ୍ରପୁର ବ୍ଲକର ପୋଡ଼ପଦର ଅଞ୍ଚଳର ଶତାଧିକ ଲୋକ ଯିବା ଆସିବା କରିଥାନ୍ତି। ଉକ୍ତ ସ୍ଥାନରେ ଅଳିଆ ଗଦା ମଧ୍ୟରେ ଟିକେ ବର୍ଷା ଜଳ ପଡିଲେ ସ୍ଥାନୀୟ ଅଞ୍ଚଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ସୂଚନାଥାଉକି ପୂର୍ବରୁ ଅନେକ ଥର ସେଠାରେ ଏନ୍‌ଏସି ପକ୍ଷରୁ ଏନ୍‌ଏସିର ୧୨ ୱାର୍ଡ଼ର ଅଳିଆ ପକାଯାଉଥିବାରୁ ଏହାକୁ ବାରମ୍ବାର ବିରୋଧ କରାଯାଉଥିଲେ ମଧ୍ୟ ଏହାକୁ ଏନଏସି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଘଟଣାସ୍ଥଳରୁ ୧୨ ନମ୍ବର ୱାର୍ଡ କାଉନସିଲର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ତହସିଲଦାର ଅରୁଣ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଆଶୁ ସମାଧାନ ତୁରନ୍ତ ଏକ କାଉନସିଲର ବୈଠକ ଡକାଇ କରାଯିବ ବୋଲି କହିବା ପରେ ଟ୍ରାକ୍ଟର ଚାବି ଫେରସ୍ତ କରାଯିବା ପରେ ଉକ୍ତ ଅଳିଆକୁ ଅନ୍ୟତ୍ର ପକାଯାଇଥିଲା। ଏନଏସି କର୍ତ୍ତୃପକ୍ଷ ସହର ବାହାରେ ଏକ ଡମ୍ପିୟାର୍ଡ ବ୍ୟବସ୍ଥା କରି ସହରର ଅଳିଆ ଆବର୍ଜନା ପକାଇବା

ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।