Categories: ଜାତୀୟ

ସୀମା ପାରରୁ ଡ୍ରୋନ୍‌ ଜରିଆରେ ସ୍ନାଇପର ଗନ୍‌ ପଠାଉଛି ଏହି ଦେଶ: ଏନ୍‌ଆଇଏ କରିବ ଯାଞ୍ଚ

ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମଳୁଛି। ନିକଟରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଓ ଜମ୍ମୁ-କଶ୍ମୀର ପୋଲିସ(ଜେକେପି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଅନ୍ତର୍ଜାତୀୟ ସୀମା ପାରରୁ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଆଇଏସ୍‌ଆଇ ଓ ପାକିସ୍ତାନ ରେଞ୍ଜର୍ସ ଡ୍ରୋନ ଜରିଆରେ ଭାରତୀୟ ସୀମାକୁ ଅସ୍ତ୍ରଶସ୍ତ୍ର ପଠାଉଛନ୍ତି। ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ସ୍ନାଇପର ବନ୍ଧୁକ ପଠାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ବନ୍ଧୁକକୁ ଜୈଶ-ଏ-ମହମ୍ମଦର ଲଞ୍ଚ ପ୍ୟାଡ ଶକରଗଡ-ନରଓ୍ବାଲରୁ ଡ୍ରୋନ୍‌ ଜରିଆରେ ପଠାଯାଉଥିବା ଜଣାପଡ଼ିଛି। ପଠାଯାଉଥିବା ବନ୍ଧୁକ ଗୁଡ଼ିକ ହେଉଛି ଆମେରିକୀୟ-ଏମ୍‌୪ ସ୍ନାଇପର ବନ୍ଧୁକ, ଯାହା ପାକିସ୍ତାନ ସୈନ୍ୟମାନେ ବ୍ୟବହାର କରନ୍ତି। କିନ୍ତୁ ସାମ୍ପ୍ରତିକ ସମୟରେ ଏହାକୁ ଭାରତୀୟ ସୀମାକୁ ଏଥିପାଇଁ ପଠାଯାଉଛି ଯାହାଦ୍ୱାରା ଆତଙ୍କବାଦୀ ଷଡ଼ଯନ୍ତ୍ରକୁ କାର୍ଯ୍ୟରେ ପରିଣତ କରାଯାଇପାରିବ। ସୂଚନାଯୋଗ୍ୟ, ଜୁନ ୨୦ରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ ଜରିଆରେ ଜମ୍ମୁ-କଶ୍ମୀରର ପନ୍‌ସାରରେ ଏମ୍‌୪ ସ୍ନାଇପର ବନ୍ଧୁକ ପଠାଯାଇଥିଲା। କିନ୍ତୁ ଏହାକୁ ବିଏସ୍‌ଏପ୍‌ ଯବାନମାନେ ଗୁଳିମାରି ତଳକୁ ଖସାଇ ଦେଇଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ପାଇଁ ଏନ୍‌ଆଇଏକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଏନ୍‌ଆଇଏ ଏହି ମାମଲାର ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

Share